ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ। ବରଂ ସେ ପୂରା ବିଶ୍ବରେ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମୋଦୀଙ୍କର ଲୋକପ୍ରିୟତା ଅଧିକ ବଢ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ରବିବାର ୧୦ କୋଟି ଅତିକ୍ରମ କରିଛି। ବିଗତ ୩ ବର୍ଷରେ ତାଙ୍କର ୩ କୋଟି ଫଲୋଅର୍ସ ବଢ଼ିଛନ୍ତି।
ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରନେଟ ଗଣମାଧ୍ୟମ ପ୍ଲାଟଫର୍ମରେ ସର୍ବାଧିକ ଫଲୋଅର୍ସ (ଅନୁଗାମୀ) କରାଯାଇଥିବା ଶାସନାଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କରିଛନ୍ତି, ଏକ୍ସରେ ୧୦୦ ମିଲିୟନ! ଏହି ଜୀବନ୍ତ ମାଧ୍ୟମକୁ ଛୁଇଁଖୁସି ଅନୁଭବ କରୁଛି। ଚର୍ଚ୍ଚା, ବିତର୍କ, ଆଲୋଚନା, ଲୋକଙ୍କ ଆଶୀର୍ବାଦ, ରଚନାତ୍ମକ ଆଲୋଚନା ଓ ବହୁତ କିଛି ଆନନ୍ଦ ଦେଇଥାଏ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ତିନି କୋଟି ୮୧ ଲକ୍ଷ, ତୁର୍କିୀର ରାଷ୍ଟ୍ରପତି ରିସେପ ତୈୟପ ଏର୍ଦୋଗନଙ୍କ ୨ କୋଟି ୧୫ ଲକ୍ଷ, ପୋପ ଫ୍ରାନ୍ସିସଙ୍କ ୧ କୋଟି ୮୫ ଲକ୍ଷ, ଦୁବାଇର ଶାସନ ଶେଖ ମହମ୍ମଦଙ୍କ ୧ କୋଟି ୧୨ ଲକ୍ଷ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ୬୫ ଲକ୍ଷ, ଇଟାଲିର ପ୍ରଧାନମନ୍ତ୍ରୀ ଜିୟୋଜିୟା ମେଲୋନିଙ୍କ ୨୪ ଲକ୍ଷ ଅନୁଗାମୀ ଅଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବର ଲୋକପ୍ରିୟ ଖେଳାଳିଙ୍କ ଠାରୁ ମଧ୍ୟ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। କ୍ରିକେଟର ବିରାଟ କୋହଲିଙ୍କ ୬ କୋଟି ୪୧ ଲକ୍ଷ ଫଲୋଅର୍ସ ଅଛନ୍ତି। ବ୍ରାଜିଲର ଫୁଟବଲର ନେମାର ଜୁନିଅର ୬ କୋଟି ୩୬ ଲକ୍ଷ, ଆମେରିକାର ବାସ୍କେଟବଲ ଖେଳାଳି ଲେବ୍ରୋନ ଜେମ୍ସଙ୍କ ୫କୋଟି ୨୯ ଲକ୍ଷ ଅନୁଗାମୀ ଅଛନ୍ତି। ସେହିପରି ଟେଲର ସ୍ବିଫ୍ଟ, ଲେଡି ଗାଗା, ଆରେମିକାର କିମ କଦରଶିୟାନଙ୍କ ଠାରୁ ମଧ୍ୟ ମୋଦୀ ଆଗରେ ଅଛନ୍ତି।
ଭାରତୀୟ ନେତାଙ୍କ ମଧ୍ୟରେ ମୋଦୀଙ୍କ ଲୋକପ୍ରିୟତା ଅନ୍ୟ ବିରୋଧୀ ଦଳ ନେତାଙ୍କ ତୁଳନାରେ ଅନେକ ଗୁଣରେ ଅଧିକ। ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ୨ କୋଟି ୭୫ ଲକ୍ଷ ଫଲୋ କରନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ୨ କୋଟି ୬୪ ଲକ୍ଷ। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କ ଫଲୋଅର୍ସ ସଂଖ୍ୟା ୧ କୋଟି ୯୯ ଲକ୍ଷ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୭୪ ଲକ୍ଷ, ଲାଲୁ ଯାଦବଙ୍କୁ ୬୩ ଲକ୍ଷ ଫଲୋ କରନ୍ତି।