ବାତ୍ୟା ‘ୟଶ୍‌’ ରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Khabar Odisha:Odisha-Govt-Declared-Cyclone-Yaas-Compensation

ଭୁବନେଶ୍ୱର, ଜୁନ୍ ୧୦ (ଖବର ଓଡ଼ିଶା): ଗତ ମାସରେ ବାତ୍ୟା ୟଶ୍ ରେ ଓଡ଼ିଶାରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଆଜି ରାଜ୍ୟ ସରକାର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟଶ୍ ପ୍ରଭାବିତ ଅଞ୍ଚଳର କୃଷକମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ବାତ୍ୟା ୟଶ୍ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁ ସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଚାଷୀମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୩୩%ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ହେବ ଏବଂ ଦୁଧିଆଳି ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ୩୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ସବ୍‌ସିଡି ୬୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩, ୫୦୦ ଟଙ୍କା ମିଳିବ ।

ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ମିଳିବ ୧୮ ହଜାର । ବାରମାସୀ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ୟାକେଜ ଅନୁସାରେ ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ ହଜାର ଟଙ୍କା ଘୋଷଣା ହୋଇଛି । ଖୀର ଦେଉ ନଥିବା ପ୍ରାଣୀଙ୍କ ପାଇଁ ୨୫ ହଜାର ଟଙ୍କା ସହାୟତା ମିଳିବ । କୁକୁଡ଼ା ଚାଷୀଙ୍କ ପ୍ରତି କୁକୁଡା ପିଛା ୫୦ ହଜାର ଟଙ୍କା ସହାୟତା ଘୋଷଣା ହୋଇଛି । ସର୍ବାଧିକ ୫ ହଜାର ଟଙ୍କା ଲେଖାଏଁ ପ୍ରତି କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ଦିଆଯିବ । ବାତ୍ୟାରେ ଭାଙ୍ଗିଯାଇଥିବା ଗୁହାଳର ପୁନଃ ନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ମିଳିବ ।

  • Tags:

Subscribe

National International State Sports Entertainment