ନୂଆଦିଲ୍ଲୀ: ୟେମେନରେ ଭାରତୀୟ ନର୍ସଙ୍କୁ ଫାଶୀଦଣ୍ଡରୁ ରକ୍ଷା କରିବା ପାଇଁ ପ୍ରୟାସ ଜୋରଦାର ହୋଇଛି। ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ ୟେମେନି କୋର୍ଟ ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଜୁଲାଇ ୧୬ରେ ୟେମେନରେ ପ୍ରିୟାଙ୍କୁ ଫାଶୀ ଦିଆଯିବାର ସମ୍ଭାବନା ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ପ୍ରିୟାଙ୍କ ପରିବାର ଏବଂ ବିଭିନ୍ନ ରାଜନୈତିକ ଦଳ ଏବଂ ସଂଗଠନ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ କୂଟନୈତିକ ପ୍ରୟାସ କରିବାକୁ ଭାରତ ସରକାରଙ୍କୁ ଆହ୍ୱାନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହା ମାମଲା ସହିତ ଜଡିତ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେଉଛି।
ସୁପ୍ରିମକୋର୍ଟ ସୋମବାର ଭାରତୀୟ ନର୍ସଙ୍କୁ ବଞ୍ଚାଇବା ସହ ଜଡିତ ଆବେଦନର ଶୁଣାଣି କରିବେ। ଆବେଦନରେ ଭାରତୀୟ ନର୍ସଙ୍କୁ ବଞ୍ଚାଇବା ପାଇଁ କୂଟନୈତିକ ଉପାୟ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରିବେ।
ଏହି ଆବେଦନ ସେଭ୍ ନିମିଶା ପ୍ରିୟା ଇଣ୍ଟରନ୍ୟାସନାଲ୍ ଆକ୍ସନ୍ କାଉନସିଲ୍ ନାମକ ଏକ ସଂଗଠନ ଦ୍ୱାରା ଦାୟର କରାଯାଇଛି, ଯାହା ନର୍ସଙ୍କୁ ସାହାଯ୍ୟ କରିବା ପାଇଁ ଆଇନଗତ ସହାୟତା ପ୍ରଦାନ କରୁଛି।
ୟେମେନ୍ କୋର୍ଟର ଦଲିଲ୍ ଅନୁଯାୟୀ, ନିମିଶା ତାଙ୍କ ସ୍ଥାନୀୟ ବ୍ୟବସାୟିକ ସହଯୋଗୀ ତଲାଲ୍ ଆବଦୋ ମେହଦିଙ୍କୁ ଜୁଲାଇ ୨୦୧୭ରେ ନିଶା ଦେଇ ହତ୍ୟା କରିଥିଲେ ଏବଂ ଅନ୍ୟ ଜଣେ ନର୍ସଙ୍କ ସହାୟତାରେ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଅଙ୍ଗଗୁଡ଼ିକୁ ଏକ ଭୂତଳ ଟାଙ୍କିରେ ଫିଙ୍ଗି ଦେଇଥିଲେ।
ହତ୍ୟା ଘଟଣା ଜଣାପଡିବା ପରେ ନିମିଶାଙ୍କୁ ଗିରଫ କରାଯାଇଥିଲା। ପ୍ରିୟାଙ୍କ ପରିବାର ଅନୁଯାୟୀ, ପ୍ରିୟା ତାଙ୍କ ଜବତ ପାସପୋର୍ଟ ଫେରି ପାଇବା ପାଇଁ ମହଦିଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ସାନା କୋର୍ଟ ପ୍ରିୟାକୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ସେ ୟେମେନ୍ ସୁପ୍ରିମକୋର୍ଟରେ ରାୟକୁ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା।
ନିମିଶା ୟେମେନ୍ ରାଷ୍ଟ୍ରପତିଙ୍କ ନିକଟରେ ଦୟା ପାଇଁ ଆବେଦନ କରିଥିଲେ। କିନ୍ତୁ ସେ ତାଙ୍କୁ କ୍ଷମା ଦେବାକୁ ମନା କରିଥିଲେ। ସେ ବର୍ତ୍ତମାନ ସାନାସ୍ଥିତ ଜେଲରେ ବନ୍ଦୀ ଅଛନ୍ତି।
ସୂଚନାଯୋଗ୍ୟ, ନିମିଶା ୨୦୦୮ ମସିହାରୁ ୟେମେନ୍ରେ ନର୍ସ ଭାବରେ କାମ କରୁଥିଲେ। ୨୦୧୧ ମସିହାରେ ବିବାହ ପରେ ସେ ତାଙ୍କ ସ୍ୱାମୀ ଟମି ଥମାସଙ୍କ ସହିତ ୟେମେନ୍ ଆସିଥିଲେ। ୨୦୧୪ ମସିହାରେ, ୟେମେନ୍ରେ ଗୃହଯୁଦ୍ଧ ଯୋଗୁଁ, ତାଙ୍କ ସ୍ୱାମୀ ତାଙ୍କ ଝିଅ ସହିତ କେରଳ ଫେରି ଆସିଥିଲେ। ସେତେବେଳେ ନିମିଶା ୟେମେନ୍ରେ ରହିଥିଲେ। ମୃତ ମେହେଦିଙ୍କ ପରିବାର ହତ୍ୟା ଅପରାଧକୁ କ୍ଷମା କରିବା ବଦଳରେ ଟଙ୍କା (ରକ୍ତଧନ) ନେବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି।
ଅଧିକ ପଢ଼ନ୍ତୁ: ମହାକାଳେଶ୍ୱର, ଗୌରୀ ଶଙ୍କର ମନ୍ଦିର...