ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ଗତ ରବିବାର ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତ୍ୟୁ ମାମଲାରେ ନେପାଳ ସରକାର ଚେତାବନୀ ଜାରି କରିଛନ୍ତି। ମଙ୍ଗଳବାର ଦିନ ନେପାଳ ସରକାର କହିଛନ୍ତି ଯେ ଯଦି ଓଡ଼ିଶାର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳର ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଉପୁଜିଥିବା ପରିସ୍ଥିତିର ସଠିକ୍ ଏବଂ ଆଇନଗତ ଉପାୟରେ ସମାଧାନ ନହୁଏ, ତେବେ ସେ ଭାରତର ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ନୋ-ଅବଜେକ୍ସନ ସାର୍ଟିଫିକେଟ୍ (ଏନଓସି) ପ୍ରଦାନ ବନ୍ଦ କରିପାରନ୍ତି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍)ର ବି.ଟେକ୍ (କମ୍ପ୍ୟୁଟର ସାଇନ୍ସ) ଛାତ୍ରୀ ପ୍ରକୃତି ଲାମ୍ସାଙ୍କ ମୃତଦେହ ଫେବୃଆରୀ ୧୬ ତାରିଖ ଅପରାହ୍ନରେ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା। ତାଙ୍କର ମୃତ୍ୟୁ ପରେ ଅଭିଯୋଗ ହୋଇଥିଲା, ଯାହା କିଟ୍ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରିଥିଲା।
ନେପାଳର ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭବିଷ୍ୟତରେ ଓଡ଼ିଶାର ଯେକୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ (ଏନ୍ଓସି) ପ୍ରଦାନ ସ୍ଥଗିତ ରଖିପାରେ। ନେପାଳ ସରକାର କିଟ୍ରେ ପଢ଼ୁଥିବା ନେପାଳୀ ଛାତ୍ରଙ୍କ ଅଭିଭାବକଙ୍କୁ ଧର୍ଯ୍ୟ ବଜାୟ ରଖିବାକୁ ମଧ୍ୟ ନିବେଦନ କରିଛନ୍ତି। ନେପାଳର ଶିକ୍ଷା ମନ୍ତ୍ରଣାଳୟ କହିଛି, 'ଏହି ଘଟଣାରୁ ଉପୁଜିଥିବା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ ଏକ ସହାୟତା ଡେସ୍କ ସ୍ଥାପନ କରାଯାଇଛି।' କିଟ୍ରେ ନେପାଳୀ ଛାତ୍ରମାନଙ୍କର ପାଠପଢ଼ା ପୁନଃ ଆରମ୍ଭ କରିବା ଏବଂ ଏକ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଆମର ବୈଦେଶିକ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହିତ ନିରନ୍ତର କୂଟନୈତିକ ପ୍ରୟାସ କରୁଛି।
ନେପାଳର ବାସିନ୍ଦା ପ୍ରକୃତି ତାଙ୍କ ବ୍ୟାଚମେଟ୍ ଏବଂ ପୂର୍ବତନ ପ୍ରେମିକ ଅଦ୍ବିକ୍ ଶ୍ରୀବାସ୍ତବଙ୍କ ଦ୍ୱାରା ହଇରାଣର ଶିକାର ହୋଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରକୃତି ଲାମସାଲଙ୍କ ନ୍ୟାୟ ଦାବି କରି ପ୍ରତିଷ୍ଠାନରେ ପଢ଼ୁଥିବା ଅନ୍ୟ ନେପାଳୀ ଛାତ୍ରଙ୍କ ଏକ ଗୋଷ୍ଠୀ ପ୍ରତିବାଦ କରିଥିଲେ। ଏହା ପରେ, ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଲା। ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଟ୍ ସୁରକ୍ଷା କର୍ମୀ ଏବଂ ଅଧ୍ୟାପକମାନେ ନେପାଳୀ ଛାତ୍ରମାନଙ୍କ ସହିତ ଖରାପ ବ୍ୟବହାର କରୁଥିବାର ଦେଖାଯାଉଛି। ନେପାଳୀ ଛାତ୍ରୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ଏବଂ ଆପତ୍ତିଜନକ ମନ୍ତବ୍ୟ ପାଇଁ ମହିଳା ହଷ୍ଟେଲର ନିର୍ଦ୍ଦେଶକ ଏବଂ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି।
ଅଧିକ ପଢ଼ନ୍ତୁ: ଆଜି ସିଇସି-ଇସିଙ୍କ ନିଯୁକ୍ତି ବିରୋଧରେ ଆବେଦନ ଉପରେ ଶୁଣାଣି