ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଟିକାର ୨ୟ ଡୋଜ୍ ନେଇଛନ୍ତି । ଦିଲ୍ଲୀ ସ୍ଥିତ ଏମ୍ସରେ ସେ କୋଭିଡ-୧୯ ଟିକା ନେଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚ ୧ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ମୋଦୀ ମାର୍ଚ୍ଚ ୧ ତାରିଖରେ କୋଭାସ୍କିନ ଟିକା ଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ଏମ୍ସ ପରିସରରେ ଆଜି ପୂର୍ବାହ୍ନରେ ପୁଡୁଚେରୀର ନର୍ସ ପି. ନିବେଦା ଓ ପଂଜାବର ନର୍ସ ନିଶା ଶର୍ମା କୋଭିଡ ଟିକା ଦେଇଥିଲେ ।
ସୂଚନାଯୋଗ୍ୟ, କରୋନା ଭାଇରସ ମୁକାବିଲା ଲାଗି ଟିକାକରଣ କ୍ଷେତ୍ରରେ ଆମେରିକାକୁ ଭାରତ ପଛରେ ପକାଇଛି । ବୁଧବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୩ ଲକ୍ଷ ଡୋଜ ଟିକାକରଣ କରାଯାଇଛି । ଏବେ ଦେଶରେ ମୋଟ ୮ କୋଟି ୭୦ ଲକ୍ଷ ଡୋଜ ଟିକାକରଣ କରାଯାଇଛି । ଦେଶରେ ଗତ ଜାନୁଆରୀ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କରୋନା ଟିକା ଦିଆଯାଇଥିଲା । ପରେ ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରିକ ଓ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବହୁରୋଗରେ ପୀଡିତଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ଦେଶରେ ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯାଉଛି ।