ଚେନ୍ନାଇ: ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଲ୍ଲାକୁରିଚୀ ଜିଲ୍ଲାପାଳ ଏମ୍ଏସ୍ ପ୍ରଶାନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। କଲ୍ଲାକୁରିଚୀର ଜିଲ୍ଲାପାଳ ଏମ୍ଏସ୍ ପ୍ରଶାନ୍ତ ଜିଲ୍ଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି ଥିବା ଆକ୍ରାନ୍ତଙ୍କୁ ଭେଟିଛନ୍ତି।
ବେଆଇନ୍ ମଦ ବିକ୍ରି ମାମଲାରେ କେ କନ୍ନୁକୁଟ୍ଟୀ (୪୯)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପାଖରୁ ୨୦୦ ଲିଟର ବେଆଇନ ମଦ ଜବତ ହୋଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ମଦରେ ପ୍ରଚୁର ପରିମାଣରେ ‘ମେଥନଲ’ ଥିଲା। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ବିଷାକ୍ତ ମଦ ମୃତ୍ୟୁ ଘଟଣା ସଂପର୍କରେ ଅବଗତ ହେଲା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଷାକ୍ତ ମଦ ବିକ୍ରି ନିୟନ୍ତ୍ରଣରେ ବିଫଳ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଷ୍ଟାଲିନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, କଲ୍ଲାକୁରିଚୀରେ ଅପମିଶ୍ରିତ ମଦ ପିଇ ଲୋକଙ୍କର ମୃତ୍ୟୁ ହେବା ଖବର ମୋତେ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରୁଛି। ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏଭଳି ଘଟଣା ନେଇ ଜନତା ଯଦି ସୂଚନା ପ୍ରଦାନ କରିବେ, ତା’ହେଲେ ବେଆଇନ କାମରେ ସଂପୃକ୍ତି ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି ମଧ୍ୟ ଏହି ଘଟଣା ନେଇ ଶୋକ ପ୍ରକାଶ କରିଛି। ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।