ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ବିଧାୟକ କିରଣ ଚୌଧୁରୀ ଓ ତାଙ୍କର ଝିଅ ତଥା ପୂର୍ବତନ ସାଂସଦ ଶୃତି ଚୌଧୁରୀ ହାତ ଛାଡ଼ିଛନ୍ତି। ଉଭୟ ବାପ-ଝିଅ ଆଜି ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବେ। ଏହାକୁ ନେଇ ରାଜ୍ୟର ରାଜନୀତି ଗରମ ହୋଇଛି। ଏହାରି ମଧ୍ୟରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଠାରୁ ପୂର୍ବତନ ସାଂସଦ ବୃଜେନ୍ଦ୍ର ସିଂହଙ୍କ ବୟାନ ଆସିଛି।
ହରିୟାଣାରେ ଚଳିତ ବର୍ଷ ଅକ୍ଟୋବର ମାସରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ ଏବେ ବିଜେପି ସରକାର ଚାଲିଛି ଏବଂ ନାୟବ ସିଂହ ସୈନୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ନିର୍ବାଚନ ପୂର୍ବରୁ କିରଣ ଚୌଧୁରୀ ଓ ତାଙ୍କର ଝିଅ କଂଗ୍ରେସ ଛାଡ଼ିବା ଦ୍ବାରା ଦଳକୁ ବଡ଼ କ୍ଷତି ହୋଇଛି। ମା’-ଝିଅ ଲୋକସଭା ନିର୍ବାଚନରେ ଟିକେଟ ବିତରଣକୁ ନେଇ ଦଳର ଶୀର୍ଷ ନେତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ।
ଏସଂକ୍ରାନ୍ତରେ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡା କହିଛନ୍ତି, ଟିକେଟ ବିତରଣ ଠିକ୍ ହୋଇ ନଥିବା କିରଣ ଚୌଧୁରୀଙ୍କ ମାନସିକତା ହୋଇପାରେ। କିନ୍ତୁ ଦଳ ଭଲ ଭାବରେ ଟିକେଟ ବାଣ୍ଟିଛି। ଏଥି ପାଇଁ କଂଗ୍ରେସର ୫ଟି ଆସନ ଆସିଛି। ଇଣ୍ଡିଆ ବ୍ଲକର ଭୋଟ ସେୟାର ଯଦି ଦେଖାଯିବ, କଂଗ୍ରେସକୁ ଭଲ ଭୋଟ୍ ମିଳିଛି। ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ବୋହୂ ହେଉଛନ୍ତି କିରଣ ଚୌଧୁରୀ। ତାଙ୍କୁ କଂଗ୍ରେସର ବରିଷ୍ଠ ନେତା ଭୂପିନ୍ଦର ସିଂହଙ୍କ କଟ୍ଟର ପ୍ରତିଦ୍ବନ୍ଦ୍ବୀ କୁହାଯାଇଥାଏ। ମାତ୍ର ହୁଡ୍ଠାଙ୍କ ସରକାରରେ କିରଣ ମନ୍ତ୍ରୀ ଥିଲେ। ସେହିପରି ଶୃତି ଚୌଧୁରୀ ହରିୟାଣା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ସେ ମଙ୍ଗଳବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ନେଇ ପୂର୍ବତନ ସାଂସଦ ଓ କଂଗ୍ରେସ ନେତା ବଜେନ୍ଦ୍ର ସିଂହ କହିଛନ୍ତି, ଶୃତି ଚୌଧୁରୀ ପୂର୍ବରୁ ସାଂସଦ ଥିଲେ। ମହେନ୍ଦ୍ରଗଡ଼ ଭିୱାନୀ ଆସନରୁ ସଶକ୍ତ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ପାର୍ଟିର ନିଜର ନିଷ୍ପତ୍ତି ହୋଇଥିାଏ। ପାର୍ଟି ଯେଉଁ ନିଷ୍ପତ୍ତି ନେଇଥିଲା, ସବୁ ପରିସ୍ଥିତିକୁ ଦେଖି ନେଇଥିଲା।