ନୂଆଦିଲ୍ଲୀ: ପଶ୍ଚିମ ବିକ୍ଷୋଭ ପ୍ରଭାବରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ପଞ୍ଜାବ ଓ ରାଜସ୍ଥାନ ସମେତ ଉତ୍ତର ଭାରତରେ ପାଗ ବଦଳିଯାଇଛି, ଯାହା ଫଳରେ ପର୍ବତରେ ତୁଷାରପାତ ହେବା ସହ ତଳିଆ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ବୁଧବାର ଦ୍ବିତୀୟ ଦିନରେ ଜମ୍ମୁ-କଶ୍ମୀରରେ ପଶ୍ଚିମ ବିକ୍ଷୋଭର ପ୍ରଭାବ ଜାରି ରହିଛି।
କଶ୍ମୀରରେ ତୁଷାରପାତ ଓ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି। ତୁଷାରପାତ ଯୋଗୁଁ ପାହୱା-କର୍ଣ୍ଣାହ ଏବଂ ବାନ୍ଦିପୋରା-ଗୁରେଜ ରାସ୍ତା ଯାତାୟତ ପାଇଁ ବନ୍ଦ ହୋଇଯାଇଛି। ମଙ୍ଗଳବାର ସକାଳୁ ଶ୍ରୀନଗର ସମେତ ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଅଞ୍ଚଳରେ ତୁଷାରପାତ ଓ ବର୍ଷା ଜାରି ରହିବ। ବୁଧବାର ଉତ୍ତରାଖଣ୍ଡରେ ଏକ ନୂଆ ପଶ୍ଚିମ ବିକ୍ଷୋଭ ସକ୍ରିୟ ହୋଇଛି ଏବଂ ଏହା ସହିତ ଉଚ୍ଚ ହିମାଳୟରେ ମଧ୍ୟ ତୁଷାରପାତ ଆରମ୍ଭ ହୋଇଛି। ତଳିଆ ଅଞ୍ଚଳରେ ମଧ୍ୟ ହାଲୁକା ବର୍ଷା ହେଉଛି।
ଗୁରୁବାର ଡେରାଡୁନ ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଓ ତୁଷାରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଶୁକ୍ରବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଓ ତୁଷାରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷରେ ବୁଧବାର ହିମାଚଳ ପ୍ରଦେଶର ରୋହତାଙ୍ଗ ସମେତ ସମସ୍ତ ସ୍ଥାନରେ ୩ ଫୁଟରୁ ଅଧିକ ତୁଷାରପାତ ରେକର୍ଡ କରାଯାଇଛି। ଲାହୋଲ ସ୍ପିତିରେ ପ୍ରବଳ ତୁଷାରପାତ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। କିନ୍ନୌରର ଉପର ଅଞ୍ଚଳରେ ୪ରୁ ୫ ଇଞ୍ଚ ତୁଷାରପାତ ହୋଇଛି। ପାଙ୍ଗି ଉପତ୍ୟକାରେ ଏକରୁ ଦୁଇ ଫୁଟ ତୁଷାରପାତ ରେକର୍ଡ କରାଯାଇଛି, ଯାହା ଉପତ୍ୟକାର ଯୋଗାଯୋଗକୁ ବିଚ୍ଛିନ୍ନ କରିଛି। ମନାଲିରେ ମଧ୍ୟ ତୁଷାରପାତ ହୋଇଥିବା ବେଳେ ରାଜ୍ୟର ତଳିଆ ଅଞ୍ଚଳରେ ବର୍ଷା ହୋଇଛି।
ଅଧିକ ପଢ଼ନ୍ତୁ: ପଞ୍ଜାବରେ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି