ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ଏବଂ କଂଗ୍ରେସ ସରକାରଙ୍କ ମଧ୍ୟରେ ବିବାଦ ପୁଣି ବଢ଼ିଛି। ବୁଧବାର ରାଜ୍ୟପାଳ ୪ଟି ବିଲ୍ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ପାଇଁ ପଠାଇଦେଇଛନ୍ତି। ଏହାକୁ ନେଇ ରାଜଭବନ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗେହଲଟ୍ ଖଣିଜ ଟିକସ, ମନ୍ଦିର ପାଣ୍ଠି, ସମବାୟ ସମିତି ଏବଂ ଗଦାଗ-ବେତଗେରୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିଲ୍ ଫେରାଇ ଦେଇଛନ୍ତି। ସାମ୍ବିଧାନିକ ନୀତି ଅନୁସରଣ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟମନ୍ତ୍ରୀ ପ୍ରିୟଙ୍କା ଖଡଗେ। ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିଲେ ସରକାର ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।
ଆଇନ ମନ୍ତ୍ରୀ ଏଚ୍କେ ପାଟିଲ ରାଜ୍ୟପାଳଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ଅଧିକାର ସର୍ବୋଚ୍ଚ। ଏହି ଆଇନରେ ବିଳମ୍ବ କରିଥିବାରୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ରାଜ୍ୟପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମୁଦା ଜମି ମାମଲାର ତଦନ୍ତକୁ ସରକାର ଅନୁମୋଦନ ଦେବା ପରେ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏବେ ଏହି ବିବାଦ ଆହୁରି ଗଭୀର ହୋଇଛି।
ଫେରାଇ ଦିଆଯାଇଥିବା ବିଲ୍ ମଧ୍ୟରେ କର୍ଣ୍ଣାଟକ (ଖଣିଜ ଅଧିକାର ଓ ଖଣିଜ ଜମି) ଟିକସ ବିଲ୍ ରହିଛି, ଯେଉଁଥିରେ ନୂଆ ଖଣିଜ ଟିକସ ଲାଗୁ କରିବାକୁ ପ୍ରସ୍ତାବ ରହିଛି। କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବଲ୍ ଏଣ୍ଡୋମେଣ୍ଟ ବିଲ୍କୁ ମଧ୍ୟ ଫେରାଇ ଦିଆଯାଇଛି। ଧନୀ ମନ୍ଦିରରୁ ନିମ୍ନ ଆୟକାରୀ ମନ୍ଦିରକୁ ସମ୍ପତ୍ତି ପୁନଃବଣ୍ଟନ କରିବା ଏହି ବିଲ୍ ର ଲକ୍ଷ୍ୟ। କର୍ଣ୍ଣାଟକ ସମବାୟ ସମିତି (ସଂଶୋଧନ) ବିଲ୍ ରେ ସମବାୟ ବୋର୍ଡର ନିର୍ବାଚିତ ଏବଂ ମନୋନୀତ ନିର୍ଦ୍ଦେଶକଙ୍କ ସଂରକ୍ଷଣରେ ପରିବର୍ତ୍ତନ ଆଣିବାକୁ କୁହାଯାଇଛି। ଗଦାଗ-ବେତଗେରୀ ବାଣିଜ୍ୟ, ସଂସ୍କୃତି ଏବଂ ପ୍ରଦର୍ଶନୀ ପ୍ରାଧିକରଣ ବିଲ୍ ରେ ଗଦାଗ-ବେତଗେରୀ ଟ୍ୱିନ୍ ସିଟିର ବିକାଶ ପାଇଁ ଏକ ବୈଧାନିକ ସଂସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ଅନ୍ୟ ୩ଟି ବିଲ୍ କୁ ରାଜ୍ୟପାଳ ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି।
ରାଜ୍ୟପାଳ ଦ୍ବିତୀୟ ଥର ପାଇଁ ଆଣ୍ଡୋମେଣ୍ଟ ବିଲ୍ ଓ ସମବାୟ ବିଲ୍ ଫେରାଇ ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ସ୍ପଷ୍ଟୀକରଣ ମାଗିସାରିଛନ୍ତି। ସେପଟେ ରାଜ୍ୟପାଳଙ୍କ ସହ ସଂଘର୍ଷ ନବଢ଼ାଇବାକୁ କଂଗ୍ରେସକୁ ଚେତାବନୀ ଦେଇଛି ବିଜେପି। ନୂଆ ଆଇନ ପ୍ରଣୟନ ପାଇଁ ରାଜ୍ୟ ସରକାର ଗଠନମୂଳକ ଆଭିମୁଖ୍ୟ ଅବଲମ୍ବନ କରିବାକୁ ବିଜେପି ଅନୁରୋଧ କରିଛି।