ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପଦରୁ ଇସ୍ତଫା ଦେବାର ପ୍ରାୟ ଦେଢ଼ ମାସ ପରେ ସରକାରଙ୍କ ଠାରୁ ଏକ ବଙ୍ଗଳା ଦାବି କରିଛନ୍ତି। ସୂତ୍ର ଅନୁସାରେ ପୂର୍ବତନ ଉପରାଷ୍ଟ୍ରପତି ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ତାଙ୍କୁ ଉପଯୁକ୍ତ ସରକାରୀ ବାସସ୍ଥାନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ପୂର୍ବତନ ଉପରାଷ୍ଟ୍ରପତି ଗତ ସପ୍ତାହରେ ଭିପି ଏନକ୍ଲେଭରୁ ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ଅବସ୍ଥିତ ଏକ ଘରୋଇ ଫାର୍ମହାଉସକୁ ସ୍ଥାନାନ୍ତରିତ ହୋଇଥିଲେ। ଏହି ଫାର୍ମହାଉସ ଭାରତୀୟ ଜାତୀୟ ଲୋକଦଳ ନେତା ଅଭୟ ଚୌତାଲାଙ୍କର। ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ କୌଣସି ବଙ୍ଗଳା ଆବଣ୍ଟନ କରିନାହିଁ। ଏ ବିଷୟରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ।
ସୂତ୍ର ଅନୁସାରେ ଲ୍ୟୁଟୟନ୍ସ ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଟାଇପ୍-ଆଠ ବଙ୍ଗଳା ନମ୍ବର ୩୪ ପ୍ରସ୍ତୁତ ଏବଂ ଏହାକୁ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଆବଣ୍ଟନ କରାଯାଇପାରିବ। କିନ୍ତୁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।
ସୂତ୍ର ଅନୁଯାୟୀ, ଯଦି ସେ ମନା କରନ୍ତି, ତେବେ ମନ୍ତ୍ରଣାଳୟ ତାଙ୍କୁ ଅନ୍ୟ ଏକ ବାସସ୍ଥାନ ଯୋଗାଇ ପାରିବ। ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।
ଅଧିକ ପଢ଼ନ୍ତୁ: ମେକ୍ସିକୋରେ ୧୦ ଜଣଙ୍କର ମୃତ୍ୟୁ ଏବଂ ୪୧ ଜଣ ଆହତ