ତେହେରାନ: ଇରାନ ଓ ଇସ୍ରାଏଲ ମଧ୍ୟରେ ସମ୍ପ୍ରତି ହୋଇଥିବା ୧୨ ଦିନିଆ ଯୁଦ୍ଧ ପରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ଏହି ବିବୃତ୍ତି ପୁଣି ଥରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ଉଜାଗର କରିଛି।
ଇରାନର ରାଷ୍ଟ୍ରପତି ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଇସ୍ରାଏଲ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଯେତେବେଳେ ଅଞ୍ଚଳରେ ବୋମା ମାଡ଼ କରାଯାଇଥିଲା ସେତେବେଳେ ସେ ଏକ ବୈଠକରେ ଥିଲେ। ଏହି ଆକ୍ରମଣ ସମ୍ପ୍ରତି ଇରାନ-ଇସ୍ରାଏଲ ଯୁଦ୍ଧ ସମୟରେ ହୋଇଥିଲା। ଏହି ଆକ୍ରମଣରେ ଆମେରିକାର କୌଣସି ଭୂମିକା ନାହିଁ। ଏଥିପାଇଁ ସେ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଥିଲେ।
ଜୁନ୍ ୧୩ ତାରିଖରେ ଇସ୍ରାଏଲ ଇରାନ ବିରୁଦ୍ଧରେ ଏକ ଅଭୂତପୂର୍ବ ଆକ୍ରମଣ ଆରମ୍ଭ କରିଥିଲା, ଯେଉଁଥିରେ ଅନେକ ଉଚ୍ଚସ୍ତରୀୟ ସାମରିକ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକମାନେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ସେହି ସମୟରେ ହୋଇଥିଲା ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତି ଉପରେ ଆଲୋଚନା ଆରମ୍ଭ ହେବାକୁ ଥିଲା।
ଇରାନ ଅନୁଯାୟୀ, ଏହି ଯୁଦ୍ଧରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଇସ୍ରାଏଲ କହିଛି ଯେ ତାଙ୍କ ପକ୍ଷରୁ ୨୮ ଜଣ ପ୍ରାଣ ହରାଇଛନ୍ତି। ଜୁନ୍ ୨୪ ତାରିଖରେ ଏକ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଥିଲା।
ପେଜେଶକିୟାନ୍ କହିଥିଲେ ଯେ ଇରାନ ପୁଣି ଥରେ ଆମେରିକା ସହିତ ପରମାଣୁ ଆଲୋଚନା ଆରମ୍ଭ କରିବାକୁ ଚାହୁଁଛି। କିନ୍ତୁ ଏଥିପାଇଁ ବିଶ୍ୱାସର ପୁନରୁଦ୍ଧାର ଆବଶ୍ୟକ। ଯଦି ଆମେରିକା ଇରାନ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରେ, ତେବେ ଆମେରିକୀୟ ନିବେଶକମାନଙ୍କୁ ସ୍ୱାଗତ କରାଯିବ। ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି କ୍ଷେତ୍ରକୁ ଯୁଦ୍ଧ ନୁହେଁ ବରଂ ଶାନ୍ତି ଆଡକୁ ନେବା ପାଇଁ ନିବେଦନ କରିଥିଲେ।
ଅଧିକ ପଢ଼ନ୍ତୁ: ୧୪ଟି ଦେଶ ଉପରେ ୪୦% ପର୍ଯ୍ୟନ୍ତ ବିଶାଳ ଟିକସ