ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଇରାନରେ ହିଜାବ ବିରୋଧ ନୂଆ ମୋଡ଼ ନେଇଛି । ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସୀ କିଛିଦିନ ହେଲା ଆମେରିକାରେ ଅଛନ୍ତି । ସେଠାରେ ତାଙ୍କର ଏକ ଇଣ୍ଟରନ୍ୟାସନାଲ ନ୍ୟୁଜ ଚ୍ୟାନେଲର ମୁଖ୍ୟଙ୍କ ସହିତ ସାକ୍ଷାତକାର ହେବାର ଥିଲା । କିନ୍ତୁ ଆଙ୍କର କ୍ରିଷ୍ଟ୍ରୀନ ଏମନପୋର ତାଙ୍କର ସାମ୍ନାରେ ହିଜାବ ପିନ୍ଧିବାକୁ ମନା କରିଦେଇଥିଲେ ଏବଂ ସାକ୍ଷାତକାର ହୋଇପାରି ନ ଥିଲା । ଏବେ ଏସଂପର୍କରେ ଆଙ୍କର କ୍ରିଷ୍ଟୀନ ଏମ୍ନପୋର ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ସବୁଘଟଣା କହୁଛନ୍ତି । ଅନ୍ୟପଟରେ ଇରାନରେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।
କ୍ରିଷ୍ଟୀନ ଏମନପୋର ଟୁଇଟରେ ଲେଖିଛନ୍ତି ଯେ, ଇରାନରେ ହିଜାବର ବିରୋଧରେ ଆନ୍ଦୋଳନ ଚାଲିଛି । ମହସା ଅମିନୀଙ୍କ ମୃତ୍ୟୁ ପରେ ସେଠାରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ନିଜର ହିଜାବ ବାହାର କରିଦେଇଛନ୍ତି । ବୁଧବାର ରାତି ୮ଟାରେ ପ୍ରଦର୍ଶନକାରୀମାନଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କୁ ଆଙ୍କର ଏହି ପ୍ରଶ୍ନ ପଚାରିବା ପାଇଁ ସମୟ ମାଗିଥିଲେ । ଅନ୍ୟପଟରେ ରାଷ୍ଟ୍ରପତି ରଇସୀ ଆଙ୍କରଙ୍କୁ ହିଜାବ ପିନ୍ଧି ଆସିବାକୁ ସର୍ତ୍ତ ରଖିଥିଲେ । କିନ୍ତୁ ଆଙ୍କର ଜଣକ ଏହା ନ କରିବାରୁ ସାକ୍ଷାତକାର ହୋଇପାରି ନଥିଲା ।