ନୂଆଦିଲ୍ଲୀ।: ପାକିସ୍ତାନ ଅଧୀକୃତ ଜମ୍ମୁ କଶ୍ମୀରରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନା ଏବଂ ହିଂସା ପାଇଁ ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛି। ଭାରତ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ପାକିସ୍ତାନକୁ ଏହାର ‘ଦୁଷ୍କର୍ମ ଏବଂ ମାନବାଧିକାର ଉଲ୍ଲଂଘନ’ ପାଇଁ ଦାୟୀ କରିବାକୁ ନିବେଦନ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ମଙ୍ଗଳବାର ଦିନ କହିଛନ୍ତି ଯେ ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବା ଏବଂ ମାନବାଧିକାର ଉଲ୍ଲଂଘନରୁ ଧ୍ୟାନ ହଟାଇବା ପାଇଁ ମିଥ୍ୟା ଖବର ଏବଂ ଭିଡିଓ ବ୍ୟବହାର କରୁଛି।
ସେ କହିଛନ୍ତି, ପିଓକେରେ ନିର୍ମମ ପୋଲିସ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଆସିଛି, ଯେଉଁଥିରେ ଅନେକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏବଂ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଆମେ ଆଶା କରୁଛୁ ଯେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ପାକିସ୍ତାନକୁ ଏହାର କାର୍ଯ୍ୟ ଏବଂ ଅତ୍ୟାଚାର ପାଇଁ ଦାୟୀ କରିବ।
ଜୟସୱାଲ ଏହା ମଧ୍ୟ ପୁନରାବୃତ୍ତି କରିଛନ୍ତି ଯେ ପାକିସ୍ତାନ ଦ୍ୱାରା ଅଧିକୃତ ଅଞ୍ଚଳ ସମେତ ସମଗ୍ର ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଅଧିକୃତ ଜମ୍ମୁ କଶ୍ମୀରରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୁରକ୍ଷା ବାହିନୀ ଏବଂ ନିଜର ଦାବି ପାଇଁ ରାସ୍ତାକୁ ଓହ୍ଲାଇଥିବା ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ଚାରି ପୋଲିସ ଏବଂ ସାତ ଜଣ ସାଧାରଣ ନାଗରିକଙ୍କ ସମେତ ଏଗାର ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦ରୁ ଅଧିକ ଆହତ ହୋଇଛନ୍ତି। ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ସ୍ଥଗିତ କରାଯାଇଛି। ନାଗରିକ ସମାଜ ଗୋଷ୍ଠୀଗୁଡ଼ିକର ଏକ ନିଷିଦ୍ଧ ମେଣ୍ଟ, ମିଳିତ ଆୱାମୀ କାର୍ଯ୍ୟ କମିଟି ମଙ୍ଗଳବାର ଦିନ ଆର୍ଥିକ ଏବଂ ରାଜନୈତିକ ଦାବି ପାଇଁ ଏକ ପ୍ରତିବାଦର ଡାକରା ଦେଇଛି।
ଅଧିକ ପଢ଼ନ୍ତୁ: ଉରିରେ ନିୟନ୍ତ୍ରଣ ରେଖା ନିକଟରେ ବିସ୍ଫୋରଣ, ଦୁଇ ସୈନିକ ସହିଦ