ନୂଆଦିଲ୍ଲୀ: ଏସିଆ କପ-୨୦୨୫ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ହେବ। ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚିଥାନ୍ତି, ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ମ୍ୟାଚ୍ ହେବ। ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମୋହସିନ ନକଭି ଶନିବାର ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ୨୦୨୫ ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୨୮ ସେପ୍ଟେମ୍ବରରେ ଖେଳାଯିବ।
୨୦୨୫ ଏସିଆ କପରେ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହା ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ହେବ। ତା'ପରେ ସେପ୍ଟେମ୍ବର ୨୧ ରେ, ଉଭୟ ଦଳ ସୁପର-୪ ରେ ମୁହାଁମୁହିଁ ହେବେ। ଏସିସି ପ୍ରସାରକଙ୍କ ସହ ଚୁକ୍ତି ଅନୁଯାୟୀ, ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପରେ ରଖାଯାଇଛି ଏବଂ ସେମାନେ ସୁପର ସିକ୍ସ ପର୍ଯ୍ୟାୟରେ ମଧ୍ୟ ପରସ୍ପରକୁ ମୁହାଁମୁହିଁ ହେବାର ଆଉ ଏକ ସୁଯୋଗ ପାଇବେ। ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚିଥାନ୍ତି, ତେବେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ମ୍ୟାଚ୍ ହେବାର ସମ୍ଭାବନା ମଧ୍ୟ ରହିବ।
ଜୁଲାଇ ୨୪ରେ ଏସିସି ବୈଠକରେ ଏସିଆ କପ୍ ସ୍ଥାନ ନିର୍ଣ୍ଣୟ କରାଯାଇଥିଲା। ସମସ୍ତ ୨୫ ସଦସ୍ୟ ଦେଶ ବୈଠକରେ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ବିସିସିଆଇ ଦ୍ୱାରା ଆୟୋଜିତ ହୋଇଥାଏ କିନ୍ତୁ ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ମଧ୍ୟରେ ବର୍ତ୍ତମାନର ଉତ୍ତେଜନା ଯୋଗୁଁ ୨୦୨୭ ପର୍ଯ୍ୟନ୍ତ କେବଳ ନିରପେକ୍ଷ ସ୍ଥାନରେ ପ୍ରତିଯୋଗିତା କରିବାକୁ ପାରସ୍ପରିକ ରାଜି ହୋଇଥିବାରୁ ଏହା ୟୁଏଇରେ ଅନୁଷ୍ଠିତ ହେଉଛି।
ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଏସିଆ କପର ଏହି ସିଜିନ ଟି୨୦ ଫର୍ମାଟରେ ଅନୁଷ୍ଠିତ ହେବ। ଏସିଆ କପ୍ ଫର୍ମାଟ ସାଧାରଣତଃ ଆଇସିସିର ପରବର୍ତ୍ତୀ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉପରେ ଆଧାରିତ।
ଅଧିକ ପଢ଼ନ୍ତୁ: କାଶୀ ବିଦ୍ୟାପୀଠରେ ଖୋଲିଲା ଦେଶର ପ୍ରଥମ ସଂଗୀତ ଚିକିତ୍ସା କେନ୍ଦ୍ର