ଜୟପୁର: ରାଜସ୍ଥାନର ଆଜମେରରେ ଥିବା ଖୱାଜା ମୋଇନୁଦ୍ଦିନ ହାସନ ଚିସ୍ତିଙ୍କ ଦରଘାରେ ପୂର୍ବରୁ ସଙ୍କଟ ମୋଚନ ମହାଦେବ ମନ୍ଦିର ଥିଲା ବୋଲି ଦାବି କରି ହିନ୍ଦୁ ସେନା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲା, ଯାହାକୁ ଜଷ୍ଟିସ ପ୍ରୀତମ ସିଂହ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଜିଲ୍ଲା ଜଜ୍ଙ୍କ ନିକଟରେ ଆବେଦନ ଉପସ୍ଥାପନ କରିବାକୁ ସେ କହିଛନ୍ତି।
ହିନ୍ଦୁ ସେନାର ସଭାପତି ବିଷ୍ଣୁ ଗୁପ୍ତାଙ୍କ ଦ୍ୱାରା ଦାୟର ପିଟିସନରେ ଦାବି କରାଯାଇଛି ଯେ ଦରଘାରେ ପୂର୍ବରୁ ଭଗବାନ ଶିବଙ୍କୁ ସମର୍ପିତ ଏକ ମନ୍ଦିର ଥିଲା। ସେଠାରେ ପୂଜାର୍ଚ୍ଚନା ଓ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା। ୧୯୧୧ ମସିହାରେ ଆଜମେର ବାସିନ୍ଦା ହର ବିଳାସ ଶାରଦାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ଦରଘା ବଦଳରେ ଏକ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି ।
ଦରଗା ପରିସରରେ ଥିବା ୭୫ ଫୁଟ୍ ଉଚ୍ଚତା ବିଶିଷ୍ଟ ବୁଲନ୍ଦ ଦ୍ୱାର ନିର୍ମାଣରେ ମନ୍ଦିରର ଭଗ୍ନାବଶେଷର ଚିହ୍ନ ରହିଛି ବୋଲି କୁହାଯାଇଥିଲା। ଏଠାରେ ବେସମେଣ୍ଟରେ ଗର୍ଭଗୃହ ଥିବାର ପ୍ରମାଣ ମିଳୁଛି। ଆବେଦନରେ ଦର୍ଶାଯାଇଛି ଯେ ଦରଘାର ଏଏସଆଇ ସର୍ଭେ କରିବା ପରେ ଏହାକୁ ହିନ୍ଦୁ ମନ୍ଦିର ଘୋଷଣା କରାଯାଉ, ଭଗବାନ ସଂକଟ ମୋଚନ ମହାଦେବଙ୍କୁ ଦରଘାରେ ବସି ହିନ୍ଦୁ ରୀତିନୀତି ଅନୁଯାୟୀ ପୂଜା କରିବାକୁ ଅନୁମତି ଦିଆଯାଉ।
ଦରଘାକୁ ବେଆଇନ ଦର୍ଶାଇ ଦରଘା କମିଟିର ଅନଧିକୃତ ଦଖଲ ହଟାଇବାକୁ ଦାବି ହୋଇଛି। ହିନ୍ଦୁ ସେନା ମଧ୍ୟ ଦରଘାର ଡିଜାଇନ ଏବଂ ଶିବ ମନ୍ଦିରର ପ୍ରମାଣ ସମ୍ପର୍କରେ ପ୍ରମାଣ ଉପସ୍ଥାପନ କରିଛି। କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଏବଂ ଦରଘା କମିଟିକୁ ମଧ୍ୟ ଏହି ପିଟିସନରେ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ ଶଶି ରଞ୍ଜନ କୁମାର କହନ୍ତି ଯେ ଶାହାଜାହାଁଙ୍କ ସମୟର ପୁସ୍ତକ ଏବଂ ଆକବରନାମା ଇତ୍ୟାଦିରେ ଅଜମେରରେ କୌଣସି ମସଜିଦ୍ ଏବଂ ଦରଘାର ପ୍ରମାଣ ନାହିଁ।
ହିନ୍ଦୁ ସେନାର ଆବେଦନକୁ ବିରୋଧ କରିଛନ୍ତି ଦରଘା ମିଟିର ସଦସ୍ୟ। ଅଖିଳ ଭାରତୀୟ ସୁଫି ସଜ୍ଜାଦାନଶିନ ପରିଷଦର ସଭାପତି ତଥା ଦରଘା ଦିଓ୍ଵାନ ସୟଦ ଜୈନୁଲ ଆବେଦିନଙ୍କ ଉତ୍ତରାଧିକାରୀ ନସରୁଦ୍ଦିନ ଚିଶ୍ତି ଏବଂ ଦରଗା ଖାଦିମସ ସଂଗଠନର ସମ୍ପାଦକ ସରୱାର ଚିଶ୍ତି କହିଛନ୍ତି ଯେ ଯଦି ଧାର୍ମିକ ସ୍ଥଳରେ ମିଥ୍ୟା ଏବଂ ଭିତ୍ତିହୀନ ଷଡ଼ଯନ୍ତ୍ର କରାଯାଏ ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। ଆମେ ଏହାର ଉତ୍ତର ଦେବୁ।
ଇତିହାସକୁ ଦେଖିଲେ ଦରଘା ଖୱାଜା ସାହିବକୁ ନେଇ କୌଣସି ଆପତ୍ତି ନଥିଲା। ମୋଗଲଙ୍କ ଠାରୁ ଆରମ୍ଭ କରି ଖିଲଜୀ ଓ ତୁଘଲକ, ହିନ୍ଦୁ ରାଜା, ରାଜପୁତ ରାଜା ଏବଂ ଏପରିକି ମରାଠାମାନେ ମଧ୍ୟ ଅତ୍ୟନ୍ତ ସମ୍ମାନର ସହ ଦରଘାକୁ ଆସି ନିଜର ବିଶ୍ୱାସ ବ୍ୟକ୍ତ କରିଥିଲେ।
ଅଧିକ ପଢ଼ନ୍ତୁ: ମଧ୍ୟରାତ୍ରିରେ ଏକାଧିକ ସ୍ଥାନରେ ଚଢ଼ାଉ କଲା ଜିଆରପି