ଡେରାଡୁନ୍: ଉତ୍ତରାଖଣ୍ଡର ଉଚ୍ଚଅଞ୍ଚଳରେ ପ୍ରବଳ ତୁଷାରପାତ ମଧ୍ୟରେ ଚାମୋଲି ଜିଲ୍ଲାର ବଦ୍ରିନାଥର ସୀମାନ୍ତ ଗାଁ ମନା ନିକଟରେ ଶୁକ୍ରବାର ସକାଳେ ହିମସ୍ଖଳନ ଘଟିଛି, ଯାହାଫଳରେ ଫସି ରହିଥିବା ସୀମା ସଡ଼କ ସଂଗଠନ (ବିଆରଓ)ର ୫୫ ଜଣ ଶ୍ରମିକଙ୍କ ମଧ୍ୟରୁ ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨୨ ଜଣଙ୍କୁ ଖୋଜିବା ଜାରି ରହିଛି। ଉଦ୍ଧାର ହୋଇଥିବା ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ସଚିବ ବିନୋଦ କୁମାର ସୁମନଙ୍କ ସୂଚନା ଅନୁଯାୟୀ, ବଦ୍ରିନାଥ ଧାମଠାରୁ ୬ କିଲୋମିଟର ଦୂରରେ ଘଟିଥିବା ହିମସ୍ଖଳନ ଘଟଣାରେ ପ୍ରଥମେ ୫୭ ଜଣ ଶ୍ରମିକ ଫସି ରହିଥିବା ନେଇ ପ୍ରଥମେ ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ସ୍ଥାନୀୟ ପ୍ରଶାସନ କହିଛି ଯେ ଦୁଇ ଜଣ ଶ୍ରମିକ ଛୁଟିରେ ଥିବାରୁ ଘଟଣାସ୍ଥଳରେ ୫୫ ଜଣ ଶ୍ରମିକ ଅଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ୩୨ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ବିଳମ୍ବିତ ରାତିରେ ଆଉ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨୨ ଜଣଙ୍କୁ ଖୋଜା ଚାଲିଛି ବୋଲି ସୁମନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବିଳମ୍ବିତ ରାତିରେ ପୁଣି ଥରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶନିବାର ସକାଳୁ ଆରମ୍ଭ ହୋଇ ଥିବା ଉଦ୍ଧାର କାର୍ଯ୍ୟରେ ବାୟୁସେନା ହେଲିକପ୍ଟର ସହ ରାଜ୍ୟ ସରକାରଙ୍କ ଏଜେନ୍ସି 'ୟୁକାଦା' ଏବଂ ଘରୋଇ କମ୍ପାନିର ହେଲିକପ୍ଟରକୁ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଯାହା ସମ୍ଭବ ତାହା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ ଶନିବାର ଘଟଣାସ୍ଥଳ ପରିଦର୍ଶନ କରି ହିମସ୍ଖଳନ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିପାରନ୍ତି।
ସକାଳ ପ୍ରାୟ ୭ଟା ୧୫ ମିନିଟ୍ ରେ ହିମସ୍ଖଳନ ଘଟିଥିଲା। ଏହି କର୍ମଚାରୀମାନେ ନିୟମିତ ଭାବେ ସେନାର ଗତିବିଧି ପାଇଁ ବରଫ ସଫା କରିଥାନ୍ତି।
ହିମସ୍ଖଳନ ପରେ ଅଧିକ ଉଚ୍ଚତାରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ 'ଆଇବିଏଏକ୍ସ ବ୍ରିଗେଡ୍'କୁ ତୁରନ୍ତ ସକ୍ରିୟ କରାଯାଇଥିଲା ବୋଲି ସେନା ସୂଚନା ଦେଇଛି। ଏହି ଟିମ୍ରେ ଡାକ୍ତର ଓ ଆମ୍ବୁଲାନ୍ସ ସାମିଲ ଥିଲେ। ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। 'ଏକ୍ସ' ଶୀର୍ଷକ ଏକ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଧାମି, ଆଇଟିବିପିର ମହାନିର୍ଦ୍ଦେଶକ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳଙ୍କ ସହ କଥା ହୋଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସମସ୍ତ ଉପଲବ୍ଧ ସମ୍ବଳବ୍ୟବହାର କରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଚମୋଲିକୁ ୪ଟି ଟିମ୍ ପଠାଯାଇଥିବା ଏନଡିଆରଏଫ ସୂଚନା ଦେଇଛି। ଏମାନଙ୍କ ବ୍ୟତୀତ ଅନ୍ୟ ୪ଟି ୟୁନିଟକୁ ପ୍ରସ୍ତୁତ ରଖାଯାଇଛି ବୋଲି ଏନଡିଆରଏଫ ମହାନିର୍ଦ୍ଦେଶକ ପୀୟୂଷ ଆନନ୍ଦ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ବର୍ଷା ଓ ଉତ୍ତରପ୍ରଦେଶରେ ଝଡ଼ତୋଫାନ