ନୂଆଦିଲ୍ଲୀ: ନୋଏଡ଼ା, ଗାଜିଆବାଦ ସମେତ ସମଗ୍ର ଏନସିଆର ଓ ଦିଲ୍ଲୀରେ ଗତ ୨୪ ଘଣ୍ଟା ଧରି ବର୍ଷା ଜାରି ରହିଛି । ଶନିବାର ସକାଳେ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହୋଇଛି। ପାଗ ଥଣ୍ଡା ହୋଇଯାଇଛି। ଗତ କିଛି ଦିନ ହେବ ଦିଲ୍ଲୀର ତାପମାତ୍ରା ଅଧିକ ରହିଥିଲା ଏବଂ ଆକାଶମାର୍ଗରୁ ବର୍ଷା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ କଶ୍ମୀରରେ ତୁଷାରପାତ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ସମଗ୍ର ଉତ୍ତର ଭାରତରେ ପାଗ ବଦଳିଯାଇଛି। ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି।
ଦିଲ୍ଲୀର ପାଗ ବଦଳିବାରେ ଲାଗିଛି। ଶୁକ୍ରବାର ସକାଳେ ଥଣ୍ଡା ଅନୁଭୂତ ହେବା ପରେ ଅପରାହ୍ନରେ ତାତି ବଢ଼ିଥିଲା ଏବଂ ସନ୍ଧ୍ୟାରେ ହାଲୁକା ବର୍ଷା ହୋଇଥିଲା। ତେବେ ଆଜିଠାରୁ ପାଗ ସଫା ହେବା ସହ ତାପମାତ୍ରା ପୁଣି ବଢ଼ିବା ଆରମ୍ଭ କରିବ। ଆସନ୍ତା ୫ରୁ ୬ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସର୍ବାଧିକ ତାପମାତ୍ରା ୨୭ ଡିଗ୍ରି ରହିଥିଲା, ଯାହା ସ୍ୱାଭାବିକଠାରୁ ୦.୯ ଡିଗ୍ରୀ ଅଧିକ। ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ରହିଥିଲା, ଯାହା ସ୍ୱାଭାବିକଠାରୁ ୫.୯ ଡିଗ୍ରି ଅଧିକ। ବାୟୁରେ ଆର୍ଦ୍ରତାର ମାତ୍ରା ୫୬ରୁ ୭୫ ପ୍ରତିଶତ ରହିଥିଲା। ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ସନ୍ଧ୍ୟାରେ ହାଲୁକା ବର୍ଷା ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସଫଦରଜଙ୍ଗ, ପାଲାମ, ଲୋଧି ରୋଡ୍, ରିଜ ଓ ଆୟା ନଗରରେ ହାଲୁକା ବର୍ଷା ହୋଇଛି।
ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଓ ବର୍ଷା ଯୋଗୁଁ ଶୁକ୍ରବାର ଭୂସ୍ଖଳନ ଘଟିଛି। ଅନେକ ପ୍ରମୁଖ ରାସ୍ତା ଓ ଜାତୀୟ ରାଜପଥ ଯାତାୟାତ ପାଇଁ ବନ୍ଦ ରହିଥିଲା। ଫଳରେ ଅନେକ ଅଞ୍ଚଳରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି। ସାରା ରାଜ୍ୟରେ ପ୍ରାୟ ୨୦୦ଟି ରାସ୍ତା ବନ୍ଦ କରାଯାଇଛି, ଯାହା ଫଳରେ କୁଲ୍ଲୁ, ଲାହୋଲ-ସ୍ପିତି, କିନ୍ନୌର, ଚମ୍ବା ଏବଂ ଶିମଲା ଜିଲ୍ଲାର ଅନେକ ଅଞ୍ଚଳ ବାକି ରାଜ୍ୟରୁ ବିଚ୍ଛିନ୍ନ ହୋଇଯାଇଛି। କ୍ରମାଗତ ତୃତୀୟ ଦିନ ପାଇଁ ଲଗାଣ ତୁଷାରପାତ ଏବଂ ବର୍ଷା ଯୋଗୁଁ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଚମ୍ବା ଓ ମନାଲିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ଉଭୟ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ଉଭୟ ରାଜ୍ୟର ଯୁଗ୍ମ ରାଜଧାନୀ ଚଣ୍ଡିଗଡ଼ରେ ୧୦.୯ ମିଲିମିଟର ବର୍ଷା ହୋଇଛି।
ଅଧିକ ପଢ଼ନ୍ତୁ: ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ