ଭୁୁବନେଶ୍ୱର: ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକିର ମୋହନ କଲେଜର ଆତ୍ମାହୁତି ଦ୍ୟମ କରିଥିବା ଛାତ୍ରୀ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ଜୁଲାଇ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଦେହାନ୍ତ ଘଟିଛି । କଲେଜର ବିଭାଗୀୟ ମୁଖ୍ୟ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯାତନା ସହି ନ ପାରି ଗତ ଶନିବାର ନିଜ ଦେହରେ ନିଆଁ ଲଗାଇ ଏଫଏମ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, ଫକିର ମହୋନ ସ୍ୱୟଂଶାସିତ ମହା ବିଦ୍ୟାଳୟର ପୀଡିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ପୀଡିତାଙ୍କ ଜୀବନ ରକ୍ଷା ହୋଇ ପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଲେଖିଛନ୍ତି ଯେ, ମୁଁ ଦିବଙ୍ଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ, ସଂପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ । ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି । ପରିବାର ସହିତ ସରକାର ଦୃଢ ଭାବରେ ଛିଡା ହୋଇଛନ୍ତି ।
ଘଟଣାରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସହଦେବ ଖୁଣ୍ଟା ପୋଲିସ ଗିରଫ କରିଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟକଙ୍କୁ ନିଲମ୍ବିତ କରିଥିଲା । କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ମାମଲାରେ ପୂର୍ବରୁ ଏଜୁକେସନ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ ଗିରଫ ହୋଇଛନ୍ତି ।
ସେପଟେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ମାମଲାରେ ହସ୍ତକ୍ଷେପ କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ରାଜ୍ୟପାଳ ବିସ୍ତୃତ ରିପୋର୍ଟ ମାଗିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ଏବଂ କଣ ତ୍ୱରିତ ପଦକ୍ଷେପ ନିଆଯାଇଛି ତାର ଜବାବ ତଲବ କରିଛନ୍ତି । ଘଟଣାକୁ ଗମ୍ଭୀରତାର ସହିତ ନିଆଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ଜଣାଇଛି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍.ଏମ୍. କଲେଜ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଛାତ୍ରୀ ଜଣକ ଅସଦାଚରଣ ଅଭିଯୋଗ ଆଣିଥିଲେ । ପୀଡ଼ିତା ଜଣକ ନ୍ୟାୟ ନ ପାଇବାରୁ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ପ୍ରିନ୍ସିପାଲଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି ।