ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଆନ୍ଧ୍ର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦିଆଯିବ। ଅନ୍ୟପଟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ।
ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଆଜି ଓଡ଼ିଶାରେ ବିଜେପିର ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକର ଆୟୋଜନ ହେବ। ଏଥିରେ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ବିଧାୟକ ଦଳର ନେତା ଚୟନ ପରେ ଓଡ଼ିଶା ବିଜେପି ରାଜ୍ୟ ନେତୃତ୍ବ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିବେ।
ଭାରତୀୟ ଜନତା ପାର୍ଟି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେଇଛି। ଜୁନ୍ ୧୨ରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିର କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିବେ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ବୁଧବାର ଅପରାହ୍ଣ ୪ଟା ୪୫ ମିନିଟରେ ଭୁବନେଶ୍ବରସ୍ଥିତ ଜନତା ମୈଦାନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ କେସରପଲ୍ଲୀସ୍ଥିତ ଆଇଟି ପାର୍କ ପଡ଼ିଆ ପ୍ରସ୍ତୁତ ହୋଇସାରିଛି। ଚନ୍ଦ୍ରବାବୁ ନାଇଡୁ ପୂର୍ବାହ୍ଣ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ରେ ୧୪୭ ଆସନରୁ ବିଜେପି ୭୮ଟି ଆସନରେ ବିଜୟୀ ହୋଇଛି। ବିଜେଡିକୁ ୫୧ ଓ କଂଗ୍ରେସକୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ନବୀନ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ମାସ ଠାରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କ୍ରମାଗତ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆନ୍ଧ୍ର ବିଧାନସଭା ନିର୍ବାଚନ-୨୦୨୪ରେ ୧୭୫ରୁ ଟିଡିପି ୧୩୫, ଜନସେନା ୨୧, ବିଜେପି ୮ ଓ ୱାଇଏସ୍ଆରସିପିକୁ ୧୧ଟି ଆସନରେ ବିଜୟ ହାସଲ ହୋଇଥିଲା।