ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସରେ ରିଜର୍ଭ ସିଭିଲ୍ ପୁଲିସର ୬୦,୨୪୪ ପଦବିରେ ନିଯୁକ୍ତି ପାଇଁ ଶୁକ୍ରବାର ଠାରୁ ଲିଖିତ ପରୀକ୍ଷା ଆରମ୍ଭ ହେଉଛି। ଏଥି ପାଇଁ ୬୭ଟି ଜିଲ୍ଲାର ୧୧୭୪ଟି ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି କ୍ୟାମେରା ଜରିଆରେ ପ୍ରତି ୨୪ ଜଣ ପରୀକ୍ଷାର୍ଥୀଙ୍କ ତଦାରଖ ସୁନିଶ୍ଚିତ କରାଯିବ।
ଅଗଷ୍ଟ ୨୩, ୨୪, ୨୫, ୩୦ ଓ ୩୧ ତାରିଖରେ ଦୁଇଟି ଲେଖାଏଁ ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ, ଯେଉଁଥିରେ ମୋଟ ୪୮,୧୭,୪୪୧ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ଏହି ପରୀକ୍ଷାରେ ୨୭ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ୬ ଲକ୍ଷ ୩୦ ହଜାର ୪୮୧ ଜଣ ପରୀକ୍ଷାର୍ଥୀ ଭାଗ୍ୟ ପରୀକ୍ଷା କରିବେ। ପରୀକ୍ଷା ଆରମ୍ଭ ହେବାର ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ଏହାପରେ ପରୀକ୍ଷା କେନ୍ଦ୍ରକୁ କେହି ପ୍ରବେଶ କରିପାରିବେ ନାହିଁ।
ସୁରକ୍ଷିତ, ନିରପେକ୍ଷ ଓ ସ୍ବଚ୍ଛ ଭାବେ ପରୀକ୍ଷା କରାଇବା ପାଇଁ ୨୩୦୦ ମାଜିଷ୍ଟ୍ରେଟ୍ ଓ ୨୫ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଇଣ୍ଟରନେଟ୍ ମିଡିଆରେ ୧୧ଟି ଟେଲିଗ୍ରାମ ଚ୍ୟାନେଲ୍ ଜରିଆରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ମିଥ୍ୟା ଦାବି କରି ପ୍ରାର୍ଥୀଙ୍କୁ ଠକିବାକୁ ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଲକ୍ଷ୍ନୌର ହୁସେନଗଞ୍ଜ କୋତଓ୍ଵାଲିଠାରେ ପୁଲିସ ନିଯୁକ୍ତି ଓ ପଦୋନ୍ନତି ବୋର୍ଡ ପକ୍ଷରୁ ମାମଲା ରୁଜୁ କରାଯାଇଛି।ଏସଟିଏଫ ମଧ୍ୟ ତଦନ୍ତ କରୁଛି। ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ/ଡିଜି ରାଜୀବ କ୍ରିଷ୍ଣାଙ୍କ କହିବାନୁଯାୟୀ, ସମସ୍ତ ପ୍ରାର୍ଥୀଙ୍କ ଆଧାର ପ୍ରମାଣିତ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜରିଆରେ ମଧ୍ୟ ବିଶ୍ଳେଷଣ କରାଯାଇଛି।
ପୁଲିସ ନିଯୁକ୍ତି ପରୀକ୍ଷା ପାଇଁ ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗରାଜ ଡିଭିଜନ ଦ୍ୱାରା ୮ଟି ସ୍ୱତନ୍ତ୍ର ଟ୍ରେନଚଳାଚଳ କରାଯିବ। ଟ୍ରେନର ସମ୍ଭାବ୍ୟ ସମୟ ସୂଚୀ ଜାରି କରାଯାଇଛି । କିଛି ଟ୍ରେନର ସମୟ ପରିବର୍ତ୍ତନ ହେବ। ଅଗଷ୍ଟ ୨୩, ୨୪, ୨୫, ୩୦ ଓ ୩୧ରେ ଏହି ଟ୍ରେନ୍ ପ୍ରୟାଗରାଜରୁ ଚୁନାର ଦେଇ ଚୋପାନ ପର୍ଯ୍ୟନ୍ତ ଚାଲିବ।
ପରୀକ୍ଷା ଦିନ ସୁବେଦାରଗଞ୍ଜରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ପର୍ଯ୍ୟନ୍ତ ମେମୁ ସ୍ପେଶାଲ ସନ୍ଧ୍ୟା ସାଢ଼େ ୬ଟାରେ ଚାଲିବ। ପରୀକ୍ଷା ତାରିଖ ରାତି ସାଢ଼େ ୮ଟାରେ ପ୍ରୟାଗରାଜରୁ ବାନ୍ଦା, ଲଳିତପୁର ଦେଇ ମାଣିକପୁର, ଚିତ୍ରକୁଟ ଧାମ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଏହାବ୍ୟତୀତ କାନପୁର-ଫରୁଖାବାଦ, କାନପୁର-ଗାଜିଆବାଦ, କାନପୁର-ଲଳିତପୁର ମଧ୍ୟରେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। କାନପୁର ରୁ ଫତେପୁର ମଧ୍ୟରେ ଚଳାଚଳ କରୁଥିବା ନୁମୁ ଟ୍ରେନ୍ ସୁବେଦାରଗଞ୍ଜ ପର୍ଯ୍ୟନ୍ତ ଚାଲିବ । ସେହିପରି ଇଟାୱା-କାନପୁର ମେମୁକୁ ଲକ୍ଷ୍ନୌ ପର୍ଯ୍ୟନ୍ତ, ଆଲିଗଡ଼-କାନପୁର ମେମୁକୁ ବନ୍ଦା ପର୍ଯ୍ୟନ୍ତ, କାନପୁର-ଟୁଣ୍ଡଲା ମେମୁକୁ ଖୁର୍ଜା ପର୍ଯ୍ୟନ୍ତ ଏବଂ ଫନ୍ଫୁଦ-ଶିକୋହାବାଦ ମେମୁକୁ ଟୁଣ୍ଡଲା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଅଧିକ ପଢ଼ନ୍ତୁ: ୧୫୬ଟି ଔଷଧ ଉପରେ ଲାଗିଲା କଟକଣା