ନୂଆଦିଲ୍ଲୀ: ଜ୍ୱର, ଥଣ୍ଡା, ଆଲର୍ଜି ଓ ଯନ୍ତ୍ରଣା ପାଇଁ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ ଡୋଜ୍ କମ୍ବିନେସନ୍ (ଏଫ୍ଡିସି) ଔଷଧ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଔଷଧ ଆଉ ବଜାରରେ ବିକ୍ରି ହେବ ନାହିଁ। ଏହି ଔଷଧ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ବୋଲି ସରକାର କହିଛନ୍ତି।
ଏଫଡିସି ହେଉଛି ଔଷଧ ଯାହା ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଦୁଇ କିମ୍ବା ଅଧିକ ଔଷଧ ମିଶାଇ ପ୍ରସ୍ତୁତ କରାଯାଏ । ଏଭଳି ଔଷଧ ଏବେ ବ୍ୟାପକ ମାତ୍ରାରେ ବ୍ୟବହୃତ ହେଉଛି। ଏହାକୁ କକଟେଲ ଔଷଧ ମଧ୍ୟ କୁହାଯାଏ । ଅଗଷ୍ଟ ୧୨ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଫାର୍ମା କମ୍ପାନିଗୁଡିକ ଦ୍ୱାରା ନିର୍ମିତ ଯନ୍ତ୍ରଣା ଔଷଧ ଭାବରେ ବ୍ୟବହୃତ ଏସିକ୍ଲୋଫେନାକ୍ ୫୦ ମିଲିଗ୍ରାମ+ ପାରାସିଟାମୋଲ ୧୨୫ ମିଲିଗ୍ରାମ ବଟିକାଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।
ନିଷିଦ୍ଧ ଏଫ୍ଡିସିଗୁଡ଼ିକ ମଧ୍ୟରେ ମେଫେନାମିକ୍ ଏସିଡ୍+ ପାରାସିଟାମୋଲ ଇଞ୍ଜେକ୍ସନ, ସେଟ୍ରିଜିନ୍ ଏବିସଏଲ୍+ ପାରାସିଟାମୋଲ୍+ ଫିନାଇଲଫ୍ରିନ୍ ଏବିସଏଲ୍, ଲେଭୋସିଟିରିଜିନ୍+ ଫିନାଇଲଫ୍ରିନ୍ ଏଚ୍ସିଏଲ୍+ ପାରାସିଟାମୋଲ୍, ପାରାସିଟାମୋଲ୍ + କ୍ଲୋରଫିନିରାମାଇନ୍ ମାଲେଟ୍ + ଫିନାଇଲ୍ ପ୍ରୋପାନୋଲାମିନ୍ ଏବଂ କ୍ୟାମିଲୋଫିନ୍ ଡାଇହାଇଡ୍ରୋକ୍ଲୋରାଇଡ୍ ୨୫ ମିଲିଗ୍ରାମ୍ + ପାରାସିଟାମୋଲ ୩୦୦ ମିଲିଗ୍ରାମ୍ ଅନ୍ତର୍ଭୁକ୍ତ।
ସେହିପରି ପାରାସିଟାମୋଲ, ଟ୍ରାମାଡୋଲ, ଟାରିନ ଓ କ୍ୟାଫିନ ମିଶ୍ରଣ ଉପରେ ମଧ୍ୟ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଟ୍ରାମାଡୋଲ ଏକ ପେନକିଲର ଅଟେ । ବିଜ୍ଞପ୍ତି ଅନୁଯାୟୀ, ଏଫଡିସି ଔଷଧର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ସୁରକ୍ଷିତ ବିକଳ୍ପ ଉପଲବ୍ଧ ଥିବା ବେଳେ। କେନ୍ଦ୍ର ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଏହି ମାମଲାର ଯାଞ୍ଚ କରିଥିଲା।
ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରି ବୋର୍ଡ (ଡିଟିଏବି) ମଧ୍ୟ ଏହି ଏଫଡିସିଗୁଡ଼ିକୁ ଯାଞ୍ଚ କରିଥିଲା ଏବଂ ସୁପାରିସ କରିଥିଲା ଯେ ଏହି ଏଫଡିସିଗୁଡିକର କୌଣସି ଯଥାର୍ଥତା ନାହିଁ।
ଏଫଡିସି ବିପଦ ସୃଷ୍ଟି କରିପାରେ। ତେଣୁ ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଏଫଡିସିର ଉତ୍ପାଦନ, ବିକ୍ରୟ କିମ୍ବା ବିତରଣ ଉପରେ ପ୍ରତିବନ୍ଧକ ଲଗାଇବା ଜରୁରୀ । ଏହି ତାଲିକାରେ କିଛି ଔଷଧ ରହିଛି ଯାହାକୁ ଅନେକ ଔଷଧ ନିର୍ମାତା ବନ୍ଦ କରିସାରିଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ