ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗତ ଶନିବାର ଦିନ ଲାଞ୍ଚ ନେବା ଅଭିଯୋଗରେ ୨୦୦୭ ବ୍ୟାଚର ବରିଷ୍ଠ ଆଇଆରଏସ ଅଧିକାରୀ ଅମିତ କୁମାର ସିଙ୍ଗଲ ଏବଂ ଅନ୍ୟ ଜଣଙ୍କୁ ଗିରଫ କରିଛି। ଦ୍ବିତୀୟ ବ୍ୟକ୍ତି ହେଲେ ହର୍ଷ କୋଟକ। ଅଭିଯୋଗ ହୋଇଛି ଯେ ଆଇଆରଏସ୍ ଅଧିକାରୀ ଜଣେ ଅଭିଯୋଗକାରୀଙ୍କଠାରୁ ୪୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ବଦଳରେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଲାଞ୍ଚ ନ ଦେଲେ ଅଧିକାରୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଭାରୀ ଜରିମାନା ଏବଂ ହଇରାଣ ଧମକ ଦେଇଥିଲେ।
ଏହି ମାମଲାରେ ସିବିଆଇ ଶନିବାର ଏକ ମାମଲା ରୁଜୁ କରିଥିଲା ଏବଂ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମୋହାଲିର ଆଇଆରଏସ୍ ଅଧିକାରୀଙ୍କ ଘରେ ଘରୋଇ ବ୍ୟକ୍ତି ହର୍ଷ କୋଟକଙ୍କୁ ଧରିଥିଲା। ଏହି ପରିମାଣ ଥିଲା ତାଙ୍କର ସମ୍ପୂର୍ଣ୍ଣ ୪୫ ଲକ୍ଷ ଟଙ୍କାର ପ୍ରଥମ କିସ୍ତି। ଏହା ପରେ ଅଧିକାରୀଙ୍କୁ ଦିଲ୍ଲୀର ବସନ୍ତ କୁଞ୍ଜସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା।
ଏହି ମାମଲା ସହିତ ଜଡିତ ଦିଲ୍ଲୀ, ପଞ୍ଜାବ ଏବଂ ମୁମ୍ବାଇର ଅନେକ ସ୍ଥାନରେ ସିବିଆଇ ଚଢାଉ କରିଥିଲା। ଏହି ଚଢାଉରେ ସିବିଆଇ ୩.୫ କିଲୋ ସୁନା, ୨ କିଲୋ ରୂପା, ୧ କୋଟି ଟଙ୍କା ନଗଦ, ୨୫ଟି ବ୍ୟାଙ୍କ ଆକାଉଣ୍ଟର ଡକ୍ୟୁମେଣ୍ଟ, ଏକ ଲକରର ବିବରଣୀ ଏବଂ ଦିଲ୍ଲୀ, ମୁମ୍ବାଇ ଏବଂ ପଞ୍ଜାବରେ ଥିବା ସମ୍ପତ୍ତି ସହିତ ଜଡିତ କାଗଜପତ୍ର ଜବତ କରିଛି। ସିବିଆଇ ଏହି ସମସ୍ତ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଏବଂ ଉତ୍ସ ଖୋଜୁଛି।
ସିବିଆଇ ଅଧିକାରୀଙ୍କ ଅନୁଯାୟୀ, ଉଭୟ ଅଭିଯୁକ୍ତଙ୍କୁ ରବିବାର କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଯାଇଛି। ସିବିଆଇର ତଦନ୍ତ ନିରନ୍ତର ଚାଲିଛି ଏବଂ ଆଗାମୀ ସମୟରେ ଏହି ମାମଲାରେ ଆହୁରି ବଡ଼ ଖୁଲାସା ହୋଇପାରେ। ଉଲ୍ଲେଖନୀୟ ଯେ ଗିରଫ ହୋଇଥିବା ଆଇଆରଏସ ଅଧିକାରୀ ଅମିତ କୁମାର ସିଙ୍ଗଲ ବର୍ତ୍ତମାନ ଦିଲ୍ଲୀର ଆଇଟିଓର ସିଆର ବିଲଡିଂରେ କରଦାତା ସେବା ନିର୍ଦ୍ଦେଶାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ଥିଲେ।
ଅଧିକ ପଢ଼ନ୍ତୁ: ସିକ୍କିମ୍ ବିପର୍ଯ୍ୟୟ: ସ୍ଥାନାନ୍ତର ହେଲେ ୧୬୭୮ ପର୍ଯ୍ୟଟକ