ଅମୃତସର: ଜମ୍ମୁ କଶ୍ମୀରର ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଅମୃତସରର ଅଟାରୀ ବର୍ଡର ସମେତ ଫାଜିଲକା ଏବଂ ଫିରୋଜପୁରରେ ମେ ୭ ତାରିଖରୁ ବନ୍ଦ ହୋଇଥିବା ରିଟ୍ରିଟ୍ ସେରେମନି ପୁଣି ଆରମ୍ଭ ହେବାକୁ ଯାଉଛି। ଏହା ମଙ୍ଗଳବାରଠାରୁ ଫାଜିଲକାରେ ଆରମ୍ଭ ହେଉଛି। ଅଟାରୀ ବର୍ଡରରେ ଏଥିପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହା କେବେ ଆରମ୍ଭ ହେବ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବାର୍ତ୍ତା ଦିଆଯାଇ ନାହିଁ।
ସୂଚନାଯୋଗ୍ୟ, ରିଟ୍ରିଟ୍ ସେରିମୋନି ଦେଖିବା ପାଇଁ ପ୍ରତିଦିନ ୨୦ରୁ ୨୫ ହଜାର ଲୋକ ଅଟାରୀ ସୀମାରେ ପହଞ୍ଚନ୍ତି। ସପ୍ତାହ ଶେଷରେ ଏହି ସଂଖ୍ୟା ୩୦ରୁ ୩୫ ହଜାର ପର୍ଯ୍ୟନ୍ତ ପହଞ୍ଚିଥାଏ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ରିଟ୍ରିଟ୍ ସେରିମୋନି ବନ୍ଦ ହେବା ଯୋଗୁଁ ଏଠାକାର ଦୋକାନୀମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ଦୋକାନୀମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପର୍ଯ୍ୟଟକଙ୍କ ଆଗମନ ଉପରେ ନିର୍ଭର କରନ୍ତି। ରିଟ୍ରିଟ୍ ସେରିମୋନି ପୁନରାରମ୍ଭ ହେବାର ଖବର ସ୍ଥାନୀୟ ଦୋକାନୀଙ୍କ ମୁହଁରେ ହସ ଫୁଟାଇ ଦେଇଛି।
ଏହା ଉଲ୍ଲେଖନୀୟ ଯେ ଫାଜିଲକାରେ ରିଟ୍ରିଟ୍ ସେରିମୋନିର ସମୟ ସନ୍ଧ୍ୟା ୬ଟାରେ ସ୍ଥିର କରାଯାଇଛି।ଦର୍ଶକମାନଙ୍କୁ ପ୍ରବେଶ ସ୍ଥାନର ଅତି କମରେ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୫:୩୦ ସୁଦ୍ଧା ପହଞ୍ଚିବାକୁ କୁହାଯାଇଛି। ଫିରୋଜପୁରରେ ରିଟ୍ରିଟ୍ ସେରିମୋନି କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।
ଅଧିକ ପଢ଼ନ୍ତୁ: ନେଦରଲ୍ୟାଣ୍ଡରେ ଅନେକ ପ୍ରସଙ୍ଗରେ ଆଲୋଚନା କଲେ ଜୟଶଙ୍କର