ତେହେରାନ: ଭାରତ ସମତେ ବିଶ୍ବର ଅନେକ ଗୁଡ଼ିଏ ରାଷ୍ଟ୍ରରେ ଏବେ ତେଲ ଏବଂ ଏଲ୍ପିଜି ଗ୍ୟାସ ନେଇ ସଙ୍କଟ ପରିସ୍ଥିତି ଦେଖାଯାଇଛି। ଇନ୍ଧନକୁ ନେଇ ବିଶ୍ବବାସୀ ଚିନ୍ତିତ ଥିଲା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏକ ଆମେରିକୀୟ ଗଣମାଧ୍ୟମ ସଂଗଠନକୁ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ଯେ ହର୍ଜୁମ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ସେ କହିଛନ୍ତି ଯେ ଆମେରିକା ଦେଖାଇବାକୁ ଚେଷ୍ଟା କରୁଛି ଯେ ଇରାନ ଅନ୍ତର୍ଜାତୀୟ ସମୁଦ୍ର ପଥକୁ ଅବରୋଧ କରିଛି, ଯାହା ଦ୍ୱାରା ବିଶ୍ୱବାସୀ ଅନୁଭବ କରିବେ ଯେ ଇରାନ ସମଗ୍ର ବିଶ୍ୱ ବିରୁଦ୍ଧରେ ଠିଆ ହୋଇଛି। କିନ୍ତୁ ଇରାନ ଅନୁଯାୟୀ, ଏହି ପ୍ରଣାଳୀ କେବଳ ଆମେରିକୀୟ ଏବଂ ଇସ୍ରାଏଲୀ ଜାହାଜ ପାଇଁ ବନ୍ଦ ଅଛି।
ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମୁଜତାବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆମେରିକାର ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ସର୍ବୋଚ୍ଚ ନେତାଙ୍କ ସହିତ କୌଣସି ସମସ୍ୟା ନାହିଁ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆମେରିକାର ପ୍ରତିରକ୍ଷା ସଚିବ ହେଗସେଥଙ୍କ ଦ୍ୱାରା ଇରାନର ନୂତନ ସର୍ବୋଚ୍ଚ ନେତା ଆହତ ହୋଇଛନ୍ତି ଏବଂ ତାଙ୍କ ମୁହଁ ବିକୃତ ହୋଇଥାଇପାରେ ବୋଲି ଏକ ବିବାଦୀୟ ଦାବିର ଗୋଟିଏ ଦିନ ପରେ ଏହି ବିବୃତ୍ତି ଆସିଛି। ଶନିବାର ଏକ ଚ୍ୟାନେଲକୁ ସେ କହିଛନ୍ତି, 'ମୁଜତାବା ଖାମେନିଙ୍କ ସହିତ କୌଣସି ସମସ୍ୟା ନାହିଁ' ଏବଂ ସେ ଜୋର ଦେଇ କହିଛନ୍ତି ଯେ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ସମସ୍ତ ଗୁଜବ ଭିତ୍ତିହୀନ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ ଘନିଷ୍ଠ ସହଯୋଗୀ ରନ୍ ଡର୍ମରଙ୍କୁ ଲେବାନନ ସହିତ ଆଲୋଚନା ପରିଚାଳନା ଦାୟିତ୍ୱ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଆଲୋଚନା ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ଏବଂ ଏଥିରେ ଆମେରିକାର ଜାରେଡ୍ କୁଶନର ମଧ୍ୟ ସାମିଲ ହୋଇପାରନ୍ତି। ସେହିପରି ଲେବାନନର ନେତା ନାବିହ ବେରି କହିଛନ୍ତି ଯେ ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ଏହା ପୂର୍ବରୁ ଏକ ଯୁଦ୍ଧବିରତି ହେବା ଉଚିତ।
ଅଧିକ ପଢ଼ନ୍ତୁ: ଆମେରିକୀୟ ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼