ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଷଷ୍ଠ ଦଫାରେ ଉତ୍ତରପ୍ରଦେଶର ସୁଲତାନପୁରରେ ମଧ୍ୟ ମତଦାନ ଜାରି ରହିଛି। ଏଠାରୁ ମେନକା ଗାନ୍ଧୀ ବିଜେପିର ପ୍ରାର୍ଥୀ ଅଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପାର୍ଟି ପୂରା ପ୍ରସ୍ତୁତ କରିଛି। ଏବେ ଭୋଟରଙ୍କ ଉପରେ ନିର୍ଭର କରୁଛି, ସେମାନେ କାହାକୁ ଚୟନ କରିବେ। ମେନକା ଗାନ୍ଧୀ କହିଛନ୍ତି, ଏଠାରେ ମୁଁ ଜାଣିଶୁଣି କେବଳ ସ୍ଥାନୀୟ ପ୍ରସଙ୍ଗକୁ ଫୋକସ କରିଛି। କାରଣ ଲୋକେ ଚାହଁନ୍ତି, ସାଂସଦ ତାଙ୍କ ପାଇଁ କ’ଣ କରିବେ। ସୁଲତାନପୁରରେ ପ୍ରଚାର ପାଇଁ ବରୁଣ ଗାନ୍ଧୀ ଆସିବାକୁ ନେଇ ସେ କହିଛନ୍ତି, ଭଲ ହେଲା, ସେ ଆସିଛନ୍ତି। ଆଶା କରୁଛି ତାଙ୍କର ଆସିବା ଦ୍ୱାରା ଭଲ ପ୍ରଭାବ ପଡ଼ିବ।
ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି, ମୁଁ ନିଜର ଭୋଟ ଦେବା ପୂର୍ବରୁ ପ୍ରାର୍ଥନା କରୁଛି। ମୁଁ ଲୋକଙ୍କ ନିକଟରେ ଅପିଲ କରିବାକୁ ଚାହୁଁଛି, ସେମାନେ ଆସନ୍ତୁ ଓ ଭୋଟ୍ ଦିଅନ୍ତୁ । ମୋ ସହିତ ମୋର ପରିବାରର ଆଶୀର୍ବାଦ ରହିଛି। ମେତେ ସମର୍ଥନ ଓ ଆଶୀର୍ବାଦ ଦେଇଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି।
ଜମ୍ମୁ କଶ୍ମୀର ବିଜେପି ସଭାପତି ରବୀନ୍ଦ୍ର ରୈନା ଆଜି ରାଜୈରୀର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରର ପର୍ବ ଲୋକସଭା ନିର୍ବାଚନ । ଏଥି ପାଇଁ ପୂରା ଜମ୍ମୁ କଶ୍ମୀରରେ ଉତ୍ସାହ ଦେଖାଯାଇଛି।
ରର୍ବଟ ଭଦ୍ରା ଓ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରାଜୀବ ଭଦ୍ରା ଏବଂ ମିରାୟା ଭଦ୍ରା ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି।