ମୁମ୍ବାଇ: କୁର୍ଲା ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନିୟନ୍ତ୍ରିତ ବସ୍ ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଭାଭା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଅଞ୍ଜୁମ-ଏ-ଇସଲାମ ସ୍କୁଲ ନିକଟ ଏଲ୍ ଓ୍ଵାର୍ଡ ସମ୍ମୁଖ ଏସ୍ ଜି ବାର୍ଭେ ମାର୍ଗରେ ଏହି ଦୁର୍ଘଟଣା ଘଟିଛି। କୁର୍ଲା ଭାଭା ହସ୍ପିଟାଲର ମେଡିକାଲ ଅଫିସର ଡାକ୍ତର ଅବଦୁଲଙ୍କ କହିବାନୁଯାୟୀ, ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ଅନୁଧ୍ୟାନ କରାଯାଉଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଅନୁସନ୍ଧାନ କରାଯାଉଛି।
ଭାଭା ହସ୍ପିଟାଲର ସୂଚନା ଅନୁଯାୟୀ, ଏକ ଅନିୟନ୍ତ୍ରିତ ବସ୍ ଧକ୍କାରେ ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁ ଘଟିଛି। କିଛି ରୋଗୀଙ୍କୁ ସିଓନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ଭିଡ଼କୁ ହଟାଇବା ପାଇଁ ପୁଲିସ କାମ ଆରମ୍ଭ କରିଛି।
ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ ମହେଶ କୁଡାଲକର କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରୁଛି। ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ରୋଗୀଙ୍କୁ ସାହାଯ୍ୟ କରିବା ଜରୁରୀ। ଏଥିରେ ପାଖାପାଖି ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି ଘଟଣାର ଗଭୀର ତଦନ୍ତ ହେବା ଦରକାର। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସମସ୍ତ ଆହତଙ୍କୁ ମହାନଗର ନିଗମର ବାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ୨୦୨୪ ହେବ ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ!