ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟର ଏବଂ ଉତ୍ତରପ୍ରଦେଶର ରାୟବରେଲିରେ ପୁଣି ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଟ୍ରେନ୍କୁ ଓଲଟାଇଦେବାର ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଗ୍ୱାଲିୟରର ବିର୍ଲା ନଗର ଷ୍ଟେସନର ବାହାରେ ଥିବା ତୃତୀୟ ଲାଇନ୍ ଟ୍ରାକରେ ଘନ ଲୁହା ରଡକୁ ତାରରେ ବାନ୍ଧି ଦିଆଯାଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେହି ଟ୍ରାକ୍ରେ ଆସୁଥିବା ମାଲବାହୀ ଟ୍ରେନ୍ର ଲୋକୋ ପାଇଲଟ୍ ରଡ୍ ଦେଖି ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍କୁ ଅଟକାଇ ଥିଲେ ଏବଂ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।
ରାୟବରେଲିର ଜଗତପୁର-ଦରିଆପୁର ଷ୍ଟେସନ ମଧ୍ୟରେ ଥିବା ବେନିକାମା ଗାଁ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର ବେଳେ ଏକ ସିମେଣ୍ଟ ସ୍ଲିପର ପୋତି ଦିଆଯାଇଛି। ଯାତ୍ରୀବାହୀ ଟ୍ରେନ୍ ପୂର୍ବରୁ ମାଲବାହୀ ଟ୍ରେନ୍ ପହଞ୍ଚିଥିଲା। ଲୋକୋ ପାଇଲଟ ଏହାକୁ ଦେଖି ବ୍ରେକ୍ ଲଗାଇ ଟ୍ରେନ୍କୁ ଅଟକାଇଥିଲେ। ତେବେ ଇଞ୍ଜିନର ଗୋରୁ ଗାର୍ଡ ସ୍ଲିପରକୁ ଧକ୍କା ଦେଇଥିଲା। ଏହି ସୂଚନା ପାଇବା ପରେ ଝାନ୍ସୀ ଡିଭିଜନରୁ ପ୍ରୟାଗରାଜ ମୁଖ୍ୟାଳୟ ପର୍ଯ୍ୟନ୍ତ ମଙ୍ଗଳବାର ଦିନସାରା ଉତ୍ତେଜନା ପ୍ରକାଶ ପାଇଥିଲା।
ଝାନ୍ସି ଜନସମ୍ପର୍କ ଅଧିକାରୀ ମନୋଜ କୁମାର ସିଂହ କହିଛନ୍ତି ଯେ ଜିଆରପି ଅଜ୍ଞାତ ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରୟାଗରାଜର ସହକାରୀ ବିଭାଗୀୟ ଯନ୍ତ୍ରୀ ରାଜେଶ କୁମାର କୁଶୱାହା କହିଛନ୍ତି ଯେ ରେଳ ଧାରଣା ପାର୍ଶ୍ୱରୁ ସମସ୍ତ ସିମେଣ୍ଟ ସ୍ଲିପର ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଭିଜନାଲ ରେଲୱେ ମ୍ୟାନେଜର ଏସଏମ ଶର୍ମା କହିଛନ୍ତି ଯେ ଏହି ମାମଲାର ତଦନ୍ତ ପାଇଁ ଲକ୍ଷ୍ନୌ ସ୍ତରରୁ ଏକ ଟିମ୍ ଗଠନ କରାଯିବ।
ସୂଚନାଯୋଗ୍ୟ ବିଗତ ୨ ମାସରେ ମଧ୍ୟରେ ଦେଶରେ ଏକାଧିକ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା କରାଇବାକୁ ଉଦ୍ୟମ ହୋଇଛି। କିନ୍ତୁ ଲୋକୋପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଅଘଟଣ ବର୍ତ୍ତି ଯାଇଛି।
ଅଧିକ ପଢ଼ନ୍ତୁ: ନେତାନ୍ୟାହୁ କହିଲେ- ନସରୁଲ୍ଲାଙ୍କ ଉତ୍ତରାଧିକାରୀଙ୍କୁ ହତ୍ୟା କରାଯାଇଛି