ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶୁକ୍ରବାର ୬ ଫ୍ଲାଗ୍ଷ୍ଟାଫ୍ ରୋଡ୍ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରିବେ। ଏବେ ସେ ଦିଲ୍ଲୀର ଫିରୋଜଶାହ ରୋଡରେ ଥିବା ୫ ନମ୍ବର ବଙ୍ଗଳାରେ ରହିବେ। ପଞ୍ଜାବର ଆପ୍ର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ଏହି ବଙ୍ଗଳା ଆନୁଷ୍ଠାନିକ ଭାବେ ଆବଣ୍ଟନ କରାଯାଇଥିଲା।
ଏହା ପୂର୍ବରୁ ଗୁରୁବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରାଜେନ୍ଦ୍ର ପ୍ରସାଦ ରୋଡସ୍ଥିତ ଏକ ବଙ୍ଗଳାକୁ ଯାଇଥିଲେ। ଏହି ସରକାରୀ ବାସଭବନ ଆପ୍ର ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କ ସରକାରୀ ବାସଭବନ ବୋଲି ଦଳୀୟ ନେତାମାନେ କହିଛନ୍ତି।
କେଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ ନିଷ୍ପତ୍ତି ନେବା ପରେ ସାଂସଦ, ବିଧାୟକ ଓ କାଉନସିଲରଙ୍କ ସମେତ ଦଳର ଅନେକ ନେତା ତାଙ୍କୁ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ। କେଜ୍ରିୱାଲ ୨୦୧୫ରୁ ମୁଖ୍ୟମନ୍ତ୍ରୀ ଭାବେ ସିଭିଲ ଲାଇନ୍ସ ବାସଭବନରେ ରହୁଥିଲେ।
ରବିଶଙ୍କର ଶୁକ୍ଳା ଲେନ୍ରେ ଥିବା ଆପ୍ ମୁଖ୍ୟାଳୟ ନିକଟରେ କେଜ୍ରିୱାଲଙ୍କ ନୂଆ ବାସଭବନ ରହିଛି। ଏହି ଘରେ ସେ ନିଜ ପରିବାର ସହ ରହିବେ। ନୂଆଦିଲ୍ଲୀ ଅଞ୍ଚଳ ହେଉଛି କେଜ୍ରିୱାଲଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ସେଠାରେ ରହି ସେ ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ଆଗାମୀ ନିର୍ବାଚନ ପାଇଁ ଆପ୍ ର ପ୍ରଚାର ତଦାରଖ କରିବେ ବୋଲି ଦଳୀୟ ନେତାମାନେ କହିଛନ୍ତି।
ଦଳୀୟ ନେତାମାନେ କହିଛନ୍ତି ଯେ ସିସୋଦିଆ ତାଙ୍କ ପରିବାର ସହ ମଥୁରା ରୋଡରେ ଥିବା ଏବି-୧୭ ବଙ୍ଗଳା ଛାଡ଼ିଥିଲେ, ଯାହା ତାଙ୍କୁ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଭାବେ ଦିଆଯାଇଥିଲା। ମାର୍ଚ୍ଚ ୨୦୨୩ରେ ଅବକାରୀ ନୀତି ମାମଲାରେ ସିସୋଦିଆ ଗିରଫ ହେବା ପରେ ଏହି ବଙ୍ଗଳା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଆବଣ୍ଟନ କରାଯାଇଥିଲା।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଆତିଶୀ ତାଙ୍କ କାଲକାଜୀ ନିର୍ବାଚନ ମଣ୍ଡଳୀ ଘରେ ରହୁଥିବା ବେଳେ ସିସୋଦିଆ ଏବଂ ତାଙ୍କ ପରିବାର ମଥୁରା ରୋଡ୍ ବଙ୍ଗଳାରେ ରହୁଥିଲେ। ନିକଟରେ 'ଜେଡ୍' ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଥିବା ଆତିଶୀଙ୍କ ନୂତନ ବାସଭବନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଅଧିକ ପଢ଼ନ୍ତୁ: ପେଟ୍ରୋଲ ବୋଝେଇ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ