ଟୋରୋଣ୍ଟୋ: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ମଙ୍ଗଳବାର ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ଅଦଳବଦଳ ଘୋଷଣା କରିଛନ୍ତି। ଏଥିରେ ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦଙ୍କୁ ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ସେ ସଦ୍ୟ ପୁନଃନିର୍ବାଚିତ ଲିବରାଲ ସରକାର ଗଠନ ଅଧୀନରେ ଏହି ପଦକ୍ଷେପ ନେଇଛନ୍ତି।
ଅନିତା ଆନନ୍ଦ ଗୀତା ଉପରେ ହାତ ରଖି ନୂତନ ବୈଦେଶିକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ କାନାଡାର ବୈଦେଶିକ ମନ୍ତ୍ରୀ ହେବାରେ ପ୍ରଥମ ହିନ୍ଦୁ ମହିଳା ମଧ୍ୟ। କାନାଡା ଅନେକ ବୈଦେଶିକ ବ୍ୟାପାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।
ଚଳିତ ବର୍ଷ ପ୍ରାରମ୍ଭରେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେଇଥିବା ଏବଂ ଗତ ମାସରେ ନିର୍ବାଚନରେ ବିଜୟୀ ହୋଇଥିବା କାର୍ନି, ମେଲାନି ଜୋଲିଙ୍କ ସ୍ଥାନରେ ଅନିତା ଆନନ୍ଦଙ୍କୁ ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ମେଲାନି ଜୋଲିଙ୍କୁ ଶିଳ୍ପ ମନ୍ତ୍ରୀ କରାଯାଇଛି। ଅନିତା ଆନନ୍ଦ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ସମେତ ଅନେକ ଭୂମିକା ଗ୍ରହଣ କରିଛନ୍ତି।
କାନାଡା ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଯୁଦ୍ଧ ସମୟରେ ଫ୍ରାଙ୍କୋଇସ୍-ଫିଲିପ୍ ସାମ୍ପେନ ଅର୍ଥମନ୍ତ୍ରୀ ଭାବରେ ତାଙ୍କ ପଦବୀ ବଜାୟ ରଖିଥିବା ବେଳେ ଡୋମିନିକ୍ ଲେବ୍ଲାଙ୍କ ବାଣିଜ୍ୟ ମନ୍ତ୍ରୀ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କାନାଡା ପ୍ରତି ଦେଖାଯାଇଥିବା ଆକ୍ରମଣର ମୁକାବିଲା କରିବାର ପ୍ରତିଶ୍ରୁତି ଦେଇ କାର୍ନି ପ୍ରଧାନମନ୍ତ୍ରୀ ପଦ ଜିତିଥିଲେ।
ବାପା ତାମିଲନାଡୁ, ମା’ ପଞ୍ଜାବ
ଅନିତା ଆନନ୍ଦଙ୍କ ଜନ୍ମ ନୋଭା ସ୍କଟିଆର କେଣ୍ଟଭିଲରେ ହୋଇଥିଲା। ତାଙ୍କ ପିତାମାତା ଭାରତୀୟ ଡାକ୍ତର ଥିଲେ। ତାଙ୍କ ବାପା ତାମିଲନାଡୁର ଏବଂ ମାଆ ପଞ୍ଜାବର ଥିଲେ। ଅନିତାଙ୍କର ଦୁଇ ଭଉଣୀ ଅଛନ୍ତି, ଗୀତା ଆନନ୍ଦ, ଯିଏକି ଟୋରୋଣ୍ଟୋରେ ଜଣେ ଓକିଲ ଏବଂ ସୋନିଆ ଆନନ୍ଦ ମ୍ୟାକମାଷ୍ଟର ବିଶ୍ୱବିଦ୍ୟାଳୟର ଜଣେ ଡାକ୍ତର ଏବଂ ଗବେଷକ।
କାର୍ନି କହିଛନ୍ତି ଯେ କାନାଡିୟମାନେ ଏହି ନୂତନ ସରକାରଙ୍କୁ ଆମେରିକା ସହିତ ଏକ ନୂତନ ଅର୍ଥନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ପରିଭାଷିତ କରିବା ଏବଂ ସମସ୍ତ କାନାଡିୟଙ୍କ ପାଇଁ ଏକ ସୁଦୃଢ଼ ଅର୍ଥନୀତି ଗଠନ କରିବା ପାଇଁ ଏକ ଦୃଢ଼ ଜନାଦେଶ ସହିତ ନିର୍ବାଚିତ କରିଛନ୍ତି। ମେ ୨୭ ତାରିଖରେ ସଂସଦ ପୁନର୍ବାର ଆରମ୍ଭ ହେବା ସମୟରେ ରାଜା ଚାର୍ଲ୍ସ ତୃତୀୟ କାନାଡିୟ ସରକାରଙ୍କ ପ୍ରାଥମିକତା ସମ୍ପର୍କରେ ଏକ ଭାଷଣ ଦେବେ।
ଅଧିକ ପଢ଼ନ୍ତୁ: ସିଲିଗୁଡ଼ି କରିଡରକୁ ସୁରକ୍ଷା ଦେବ 'ସୁଦର୍ଶନ ଚକ୍ର'