ନୂଆଦିଲ୍ଲୀ: ଭାରତର ପ୍ରଧାନବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନା ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କୁ ତାଙ୍କର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଜଷ୍ଟିସ୍ ଗଭାଇ ବୁଧବାର ଭାରତର ୫୨ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ।
ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏପ୍ରିଲ ୧୬ ତାରିଖରେ ପ୍ରଧାନ ବିଚାରପତି ସଜୀବ ଖାନ୍ନା ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। ଜଷ୍ଟିସ୍ ଗଭାଇଙ୍କ କାର୍ଯ୍ୟକାଳ ଛଅ ମାସ ରହିବ ଏବଂ ସେ ଡିସେମ୍ବର ୨୩ ତାରିଖରେ ୬୫ ବର୍ଷ ବୟସରେ କାର୍ଯ୍ୟ ଛାଡିବେ।
୨୪ ନଭେମ୍ବର ୧୯୬୦ ମସିହାରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଗଭାଇଙ୍କୁ ୧୪ ନଭେମ୍ବର ୨୦୦୩ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ପଦୋନ୍ନତି ଦିଆଯାଇଥିଲା। ସେ ସ୍ୱର୍ଗତ ଆର.ଏସ. ଗଭାଇଙ୍କ ପୁଅ ଯିଏ ବିହାର ଏବଂ କେରଳର ରାଜ୍ୟପାଳ ଥିଲେ। ସେ ୧୨ ନଭେମ୍ବର ୨୦୦୫ ମସିହାରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ଜଷ୍ଟିସ୍ ଗଭାଇ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଥିଲେ, ଯେଉଁମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଅଂଶ ଥିଲେ
- ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରୁଥିବା ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ମଧ୍ୟରେ ଜଷ୍ଟିସ୍ ଗଭାଇ ମଧ୍ୟ ସାମିଲ ଥିଲେ।
- ରାଜନୈତିକ ପାଣ୍ଠି ପାଇଁ ଅଣାଯାଇଥିବା ନିର୍ବାଚନୀ ବଣ୍ଡ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ଖଣ୍ଡପୀଠର ମଧ୍ୟ ଗଭାଇ ଅଂଶ ଥିଲେ।
- ବିମୁଦ୍ରାକରଣ ବିରୋଧରେ ଦାୟର ଆବେଦନଗୁଡ଼ିକର ଶୁଣାଣି କରୁଥିବା ଖଣ୍ଡପୀଠରେ ତାଙ୍କୁ ମଧ୍ୟ ସାମିଲ କରାଯାଇଥିଲା।
ଜଷ୍ଟିସ୍ ଗଭାଇଙ୍କୁ ୨୦୧୯ ମେ ୨୪ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଜଣେ ବିଚାରପତି ଭାବରେ, ସେ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଏବଂ ପାଣାଜୀର ବିଭିନ୍ନ ବେଞ୍ଚରେ କାର୍ଯ୍ୟ କରିଛନ୍ତି।
ଅଧିକ ପଢ଼ନ୍ତୁ: ପିଏମ ମୋଦୀଙ୍କ ଚେତାବନୀ ପରେ ଡରିଲା ପାକିସ୍ତାନ