ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ।
ଆମେରିକାର ବୈଦେଶିକ ମନ୍ତ୍ରୀ ଭାରତ ଏବଂ ପାକିସ୍ତାନ ଉଭୟଙ୍କୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଶାହବାଜ ଏବଂ ଜୟଶଙ୍କରଙ୍କ ସହ ପୃଥକ ଆଲୋଚନା ପରେ ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରିଛି।
ଏଥିରେ କୁହାଯାଇଛି ଯେ ଆମେରିକା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରେ ଏବଂ ପହଲଗାମ ଆକ୍ରମଣର ତଦନ୍ତରେ ସହଯୋଗ କରିବାକୁ ପାକିସ୍ତାନକୁ ଅନୁରୋଧ କରିଛି। ଏହି ସମୟରେ, ଇସଲାମାବାଦରେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଦକ୍ଷିଣ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ପାକିସ୍ତାନର ଦୃଷ୍ଟିକୋଣ ବିଷୟରେ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ପାକିସ୍ତାନ ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ପ୍ରସଙ୍ଗ ଉଠାଇ କହିଛି ଯେ ଏହା 24କୋଟି ଲୋକଙ୍କ ଜୀବନରେଖା ଏବଂ ଏଥିରେ ଏକପାଖିଆ ପ୍ରତ୍ୟାହାରର କୌଣସି ବ୍ୟବସ୍ଥା ନାହିଁ।
ଅନ୍ୟପକ୍ଷରେ, ଆଲୋଚନା ସମୟରେ, ଆମେରିକାର ବୈଦେଶିକ ମନ୍ତ୍ରୀ ଆତଙ୍କବାଦ ବିରୋଧରେ ବିଶ୍ୱ ଲଢ଼େଇରେ ପାକିସ୍ତାନର ଉଲ୍ଲେଖନୀୟ ଅବଦାନକୁ ରେଖାଙ୍କିତ କରିଥିଲେ। ରୁବିଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ସହିତ କାମ କରିବାକୁ ଅନୁରୋଧ କରିଥିଲେ।
ଅଧିକ ପଢ଼ନ୍ତୁ: ଗାଧୋଇବା ବେଳେ ନଦୀରେ ବୁଡ଼ି ୪ଜଣଙ୍କ ମୃତ୍ୟୁ, ୨ ନିଖୋଜ