ଇସଲାମାବାଦ: ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବୁଧବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ପାକିସ୍ତାନୀ ସିନେଟର ପଲୱାସା ମହମ୍ମଦ ଜାଇ ଖାନ କହିଛନ୍ତି ଯେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ନୂତନ ବାବ୍ରୀ ମସଜିଦର ପ୍ରଥମ ଇଟା ପାକିସ୍ତାନ ସେନା ଦ୍ୱାରା ରଖାଯିବ।
ସିନେଟର ପଲୱାସା ଖାନଙ୍କ ଏହି ବିବୃତ୍ତି ୨୯ ଏପ୍ରିଲରେ ପାକିସ୍ତାନ ସଂସଦର ଉଚ୍ଚ ସଦନରେ ଦିଆଯାଇଥିଲା। ସେଠାରେ ସେ କହିଥିଲେ, ଅଯୋଧ୍ୟାରେ ନିର୍ମିତ ନୂତନ ବାବ୍ରୀ ମସଜିଦର ପ୍ରଥମ ଇଟା ପାକିସ୍ତାନ ସେନାର ସୈନିକମାନେ ରଖିବେ ଏବଂ ପ୍ରଥମ ଆଜାନ ନିଜେ ସେନା ମୁଖ୍ୟ ଅସୀମ ମୁନିର ଦେବେ।" ସେ ଏହା ମଧ୍ୟ କହିଲେ, ଆମେ ଚୁଡ଼ି ପିନ୍ଧୁନାହୁଁ।
ପଲୱାସା ମହମ୍ମଦ ଜାଇ ଖାନ ପାକିସ୍ତାନର ଜଣେ ସିନେଟର ଏବଂ ବର୍ତ୍ତମାନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଉପ-ସୂଚନା ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମାର୍ଚ୍ଚ ୨୦୨୧ ଠାରୁ ପାକିସ୍ତାନ ସଂସଦର ଉଚ୍ଚ ସଦନ (ସେନେଟ୍)ର ସଦସ୍ୟ ଅଛନ୍ତି। ସେ ସିନ୍ଧ ପ୍ରଦେଶରୁ ମହିଳାଙ୍କ ପାଇଁ ସଂରକ୍ଷିତ ଆସନରେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ, ସେ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ପାକିସ୍ତାନର ଜାତୀୟ ଆସେମ୍ବଲି (ସଂସଦର ନିମ୍ନ ସଦନ)ର ସଦସ୍ୟ ଥିଲେ। ପଲୱାସା ହେଉଛନ୍ତି ପ୍ରସିଦ୍ଧ ରାଜନେତା ଏବଂ ବ୍ୟବସାୟୀ ଫୋଜିଆ ବେହରାମଙ୍କ ଭାଣିଜୀ। ୧୯୮୮-୯୦ ସାଧାରଣ ନିର୍ବାଚନରେ ଫୌଜିଆ ବେହରାମ ପଞ୍ଜାବ ବିଧାନସଭାର ଏକମାତ୍ର ମହିଳା ସଦସ୍ୟ ଥିଲେ।
ଶ୍ରୀମତୀ ଖାନ ଏହା ମଧ୍ୟ ଦାବି କରିଥିଲେ ଯେ ପାକିସ୍ତାନ ସେନାରେ ଥିବା ଶିଖ ସୈନିକମାନେ କେବେବି ପାକିସ୍ତାନ ଉପରେ ଆକ୍ରମଣ କରିବେ ନାହିଁ। କାରଣ ଏହା ସେମାନଙ୍କ ପାଇଁ ଏକ ଧାର୍ମିକ ଭାବରେ ସ୍ୱତନ୍ତ୍ର ସ୍ଥାନ। ସେ କହିଥିଲେ, ଯଦି ଭାରତ ପାକିସ୍ତାନକୁ ଧମକ ଦିଏ, ତେବେ ସେମାନଙ୍କୁ କହିବା ଉଚିତ ଯେ ଶିଖ ସୈନିକମାନେ ପାକିସ୍ତାନ ଉପରେ ଆକ୍ରମଣ କରିବେ ନାହିଁ କାରଣ ଏହି ସ୍ଥାନ ଗୁରୁ ନାନକଙ୍କ ଭୂମି।
ଅଧିକ ପଢ଼ନ୍ତୁ: ଆକ୍ରମଣରୁ ରକ୍ଷା ପାଇଁ ଉପାୟ ଶିଖାଯାଉଛି ସେନା