ତିରୁବନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦh ଗୁରୁବାର ସନ୍ଧ୍ୟାରେ କେରଳରେ ପହଞ୍ଚିଛନ୍ତି। ସେ ଆଜି ଏଠାରେ ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରର ଉଦଘାଟନ କରିବେ। ତିରୁବନନ୍ତପୁରମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ ଏବଂ କଂଗ୍ରେସ ସାଂସଦ ଶଶି ଥରୁର ସ୍ୱାଗତ କରିଥିଲେ।
ବନ୍ଦର ଉଦ୍ଘାଟନ ପାଇଁ ଆଜି ପୂର୍ବାହ୍ଣ ୧୧ଟାରେ ସମାରୋହ ଆରମ୍ଭ ହେବ। ଏଥି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଜଭବନରୁ ୧୦ଟା ୧୫ରେ ହେଲିକପ୍ଟର ଯୋଗେ ଯିବେ। ଏହି କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ, କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ୪ଜଣ ରାଷ୍ଟ୍ରମନ୍ତ୍ରୀ, ଅଦାନୀ ଗ୍ରୁପ ଚେୟାରମ୍ୟାନ୍ ଗୌତମ ଅଦାନୀ, ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ରହିବେ। ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, କେରଳର ତିରୁବନନ୍ତପୁରମରେ ୮,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ 'ଭିଜିଞ୍ଜାମ ଆନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦର'ର ଉଦଘାଟନ କରିବେ।
ବିମାନବନ୍ଦର ବାହାରେ ଲୋକଙ୍କ ଭିଡ଼ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଭାରତ ମାତା କି ଜୟ ଏବଂ ନରେନ୍ଦ୍ର ମୋଦୀ କି ଜୟ ସ୍ଲୋଗାନ ଦେଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କେରଳ ଗସ୍ତ ଶେଷ ପରେ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ, ଯେଉଁଠାରେ ସେ ରାଜ୍ୟ ରାଜଧାନୀ ଅମରାବତୀରେ ୫୮,୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏଥିରେ ୯୪ଟି ଭିତ୍ତିଭୂମି ସମ୍ପର୍କିତ ପ୍ରକଳ୍ପ ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ: ଅଷ୍ଟମ ଦିନରେ ଏଲଓସିରେ ଗୁଳିବର୍ଷା ଜାରି