ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୪୩ ଅନୁଯାୟୀ ରାଷ୍ଟ୍ରପତିଙ୍କ ସନ୍ଦର୍ଭ ଉପରେ ନିଜର ମତାମତ ପ୍ରଦାନ କରି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଡବଲ୍ ବେଞ୍ଚର ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନେ ବିଲ୍ଗୁଡ଼ିକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ଏକ ସମୟ ସୀମା ସ୍ଥିର କରାଯାଇପାରିବ ନାହିଁ। ସାମ୍ବିଧାନିକ ଭାବରେ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିବାରୁ ରାଜ୍ୟପାଳମାନେ ରାଜ୍ୟ ବିଧାନସଭାଗୁଡ଼ିକ ଦ୍ୱାରା ଗୃହୀତ ବିଲ୍ଗୁଡ଼ିକୁ ଅନୁମୋଦନ, ପ୍ରତ୍ୟାଖ୍ୟାନ କିମ୍ବା ସ୍ଥଗିତ ରଖିପାରିବେ କି ନାହିଁ ସେ ବିଷୟରେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କ ମତାମତ ଲୋଡ଼ିଥିଲେ। ଭାରତର ମୁଖ୍ୟ ବିଚାରପତି ବି.ଆର. ଗଭାଇ, ପରବର୍ତ୍ତୀ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ. ନରସିଂହ ଏବଂ ବିଚାରପତି ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିଜର ମତାମତ ପ୍ରଦାନ କରିଛନ୍ତି।
ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ବିଲ୍କୁ ମତାମତ ସହିତ ଗୃହକୁ ଫେରାଇବାର କିମ୍ବା ରାଷ୍ଟ୍ରପତିଙ୍କ ବିଚାର ପାଇଁ ସଂରକ୍ଷଣ କରିବାର ଅଧିକାର ଅଛି। ସିଜେଆଇ ବି.ଆର. ଗଭାଇଙ୍କ ନେତୃତ୍ୱରେ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ଏହି ବିବେଚନାକୁ ସୀମିତ କରାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳମାନେ ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ବିଲ୍ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ମତିକୁ ରୋକିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତର ସହଯୋଗ ସଂଘୀୟତାରେ, ରାଜ୍ୟପାଳମାନେ ବିଲ୍ ସମ୍ପର୍କରେ ଗୃହ ସହିତ ଆଲୋଚନା କରିବା ଉଚିତ ଏବଂ ବାଧା ସୃଷ୍ଟିକାରୀ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ।
ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସାମ୍ବିଧାନିକ ଅଦାଲତଗୁଡ଼ିକ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ସମୟସୀମା ସ୍ଥିର କରିପାରିବେ ନାହିଁ। ତାମିଲନାଡୁ ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ ଦ୍ୱାରା ଜାରି କରାଯାଇଥିବା ଏପରି ନିର୍ଦ୍ଦେଶନାମା ଅସାମ୍ବିଧାନିକ।
ଅଧିକ ପଢ଼ନ୍ତୁ: ଗ୍ୟାସ ଚାମ୍ବର ପାଲଟିଲା ନୋଏଡା ଏବଂ ଗାଜିଆବାଦ