ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ସୁଦାନରେ ଭୟଙ୍କର ଅତ୍ୟାଚାର ଘଟୁଛି। ସେ କହିଛନ୍ତି, ପୂର୍ବରୁ ଏକ ମହାନ ସଭ୍ୟତା ଭାବରେ ବିବେଚିତ ଏହି ଦେଶ ଏବେ ବିଶ୍ୱର ସବୁଠାରୁ ହିଂସାତ୍ମକ ସ୍ଥାନ ପାଲଟିଛି ଏବଂ ସବୁଠାରୁ ବଡ଼ ମାନବିକ ସଙ୍କଟ ସୃଷ୍ଟି କରିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ ସେଠାରେ ଖାଦ୍ୟ, ଡାକ୍ତର ଏବଂ ସମସ୍ତ ଆବଶ୍ୟକୀୟ ଜିନିଷର ଘୋର ଅଭାବ ରହିଛି।
ଟ୍ରମ୍ଫ କହିଛନ୍ତି ଯେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ସମେତ ଅନେକ ଆରବ ନେତା ତାଙ୍କୁ ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ଶକ୍ତି ଏବଂ ପ୍ରଭାବ ବ୍ୟବହାର କରି ସୁଦାନରେ ଚାଲିଥିବା ହିଂସାକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସାଉଦି କ୍ରାଉନ୍ ପ୍ରିନ୍ସ ନିକଟରେ ଆମେରିକାରୁ ଫେରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସୁଦାନର ମହାନ ସଭ୍ୟତା ଏବଂ ସଂସ୍କୃତି କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହି ଅଞ୍ଚଳର ଦେଶଗୁଡ଼ିକର ସହଯୋଗରେ ଏହାକୁ ପୁନରୁଦ୍ଧାର କରାଯାଇପାରିବ।
ଟ୍ରମ୍ଫ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆମେରିକା ସୁଦାନରେ ଅତ୍ୟାଚାର ବନ୍ଦ କରିବା ଏବଂ ଦେଶକୁ ସ୍ଥିର କରିବା ପାଇଁ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଇଜିପ୍ଟ ଏବଂ ଅନ୍ୟାନ୍ୟ ମଧ୍ୟପ୍ରାଚ୍ୟ ସହଯୋଗୀଙ୍କ ସହିତ କାମ କରିବ। ସେ ଲେଖିଛନ୍ତି, "ଆମେ ଏହି ଅତ୍ୟାଚାରର ଅନ୍ତ ଏବଂ ସୁଡାନକୁ ସ୍ଥିର କରିବା ପାଇଁ କାମ କରିବୁ। ଏହି ବିଷୟରେ ଆପଣଙ୍କ ଧ୍ୟାନ ପାଇଁ ଧନ୍ୟବାଦ। ଭଗବାନ ବିଶ୍ୱକୁ ଆଶୀର୍ବାଦ କରନ୍ତୁ!"
ପୂର୍ବରୁ, ସୁଡାନର ରାପିଡ୍ ସପୋର୍ଟ ଫୋର୍ସ ଆମେରିକା ନେତୃତ୍ୱାଧୀନ ପ୍ରସ୍ତାବକୁ ଗ୍ରହଣ କରିଥିଲା। ଦୁଇ ବର୍ଷରୁ ଅଧିକ ଯୁଦ୍ଧ ପରେ ଫୋର୍ସ ଆମେରିକା, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇକୁ ନେଇ ଗଠିତ କ୍ୱାଡ୍ ମଧ୍ୟସ୍ଥତା ଗୋଷ୍ଠୀର ମାନବିକ ଯୁଦ୍ଧବିରତି ପ୍ରସ୍ତାବକୁ ଅନୁମୋଦନ କରିଥିଲା। ଏକ ବିବୃତ୍ତିରେ ଆରଏସ୍ଏଫ୍ କହିଛି ଯେ ଏହା ଯୁଦ୍ଧର ବିନାଶକାରୀ ମାନବିକ ପରିଣାମକୁ ହ୍ରାସ କରିବା ଏବଂ ନାଗରିକଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ଯୁଦ୍ଧବିରତିକୁ ଗ୍ରହଣ କରୁଛି।
ବରିଷ୍ଠ ଆମେରିକୀୟ ପରାମର୍ଶଦାତା ମାସାଦ୍ ବୋଲୋସ୍ କହିଛନ୍ତି ଯେ ଯୁଦ୍ଧବିରତି ପାଇଁ ପ୍ରୟାସ ଚାଲିଛି ଏବଂ ଉଭୟ ପକ୍ଷ ନୀତିଗତ ଭାବରେ ସହମତ ହୋଇଛନ୍ତି। ଅଲ୍ ଜାଜିରା ଅନୁଯାୟୀ ଯୁଦ୍ଧ ସମୟରେ ଉଭୟ ପକ୍ଷ ଗୁରୁତର ଯୁଦ୍ଧ ଅପରାଧର ଅଭିଯୁକ୍ତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ କରିଛି ଯେ ଏକ ପୂର୍ବତନ ଶିଶୁ ହସ୍ପିଟାଲ ଦଖଲ ସମୟରେ ୪୬୦ରୁ ଅଧିକ ରୋଗୀ ଏବଂ ଡାକ୍ତରୀ କର୍ମଚାରୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।
ଅଧିକ ପଢ଼ନ୍ତୁ: କେବଳ ଡ୍ରାଇଭର ନୁହେଁ, ଠିକାଦାର ଏବଂ ଇଞ୍ଜିନିୟରମାନେ ମଧ୍ୟ ହେବେ ସମ୍ପୃକ୍ତ