ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନକୁ ରବିବାର ବୋମାମାଡ଼ ଧମକ ମିଳିଛି। ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଏକ ଚିଠି ମାଧ୍ୟମରେ ବୋମା ଧମକ ଦିଆଯାଇଥିଲା। ଚିଠି ପାଇବା ପରେ ସିଆଇଏସଏଫ ଯବାନମାନେ ତୁରନ୍ତ ବିମାନର ଯାଞ୍ଚ କରିଥିଲେ। ଯାତ୍ରୀଙ୍କୁ ମଧ୍ୟ ଖୋଜାଖୋଜି କରାଯାଇଥିଲା। ତେବେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା।
ବିମାନରେ ଜଣେ ମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ସମେତ ୧୬୯ ଜଣ ଯାତ୍ରୀ ଥିଲେ। ଯାଞ୍ଚ ପରେ ସନ୍ଧ୍ୟା ପ୍ରାୟ ୬ଟାରେ ବିମାନଟି ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିଥିଲା। ଅନ୍ୟପକ୍ଷରେ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ ପିଲାମେଡୁ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
ବିମାନକୁ ବୋମାମାଡ଼ ଧମକ ମିଳିବା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅପ୍ରୀତିକର ଖବର ଆସିଛି। ଗତ ୯ ତାରିଖରେ ଲଣ୍ଡନରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନକୁ ବୋମା ଧମକ ମିଳିଥିଲା। ଶୌଚାଳୟରୁ ମିଳିଥିବା କାଗଜରେ ବୋମା ଧମକ ମିଳିଥିଲା। ବିମାନରେ ପାଖାପାଖି ୨୯୦ ଜଣ ଯାତ୍ରୀ ଥିଲେ। ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରି ଯାଞ୍ଚ କରାଯାଇଥିଲା। କିନ୍ତୁ ବୋମା ମିଳିନଥିଲା। ଶୌଚାଳୟରୁ ମିଳିଥିବା ନୋଟରେ ଲେଖାଥିଲା ଯେ ଏହି ବିମାନକୁ ବୋମାରେ ଉଡାଇ ଦିଆଯିବ।
ସେପ୍ଟେମ୍ବର ପହିଲାରେ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା। ଇଣ୍ଡିଗୋ ବିମାନଟି ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। କିନ୍ତୁ ବୋମା ଧମକ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମହାରାଷ୍ଟ୍ରର ନାଗପୁରରେ ବିମାନଟି ଅବତରଣ କରିବା ପରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ତଦନ୍ତରେ ସନ୍ଦେହଜନକ କିଛି ମିଳିନଥିଲା। ଅଗଷ୍ଟ ମାସରେ ଏୟାର ଇଣ୍ଡିଆ ର ବିମାନ ୬୫୭କୁ ବୋମା ଧମକ ମିଳିଥିଲା। ବିମାନଟି କେରଳର ଥିରୁବନନ୍ତପୁରମ୍ ବିମାନବନ୍ଦରରେ ଅବତରଣ କରିଥିଲା।