ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ‘ବିଜୁ ଏକ୍ସପ୍ରେସ୍ୱେ’ରେ ସୋମବାର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେଲର ମଧ୍ଯରେ ଶକ୍ତ ଧକ୍କା ପରେ ଏଥିରେ ନିଆଁ ଲାଗିଯାଇଛି। ଫଳରେ ଉଭୟ ଗାଡ଼ି ସହ ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତ ୨ଜଣ ଡ୍ରାଇଭରଙ୍କର ପରିଚୟ ମିଳିପାରି ନାହିଁ।
ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା କାଇନ୍ତରା ଛକ ନିକଟରେ ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ଟ୍ରକ୍କୁ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଡିଭାଇଡର ଡେଇଁବା ପରେ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା।
ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଏହା ପୂର୍ବରୁ ୨ଜଣ ଡ୍ରାଇଭର ଆଖିବୁଜି ସାରିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି, ଯେଉଁଥି ପାଇଁ ଯାତାୟତ ପ୍ରଭାବିତ ହୋଇଛି।
ଅଧିକ ପଢ଼ନ୍ତୁ: ପ୍ରୟାଗରାଜରେ ଗଣହତ୍ୟା: ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ହତ୍ୟା