ଭୁବନେଶ୍ବର: ଓଡ଼ିଶା ପୋଲିସ ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ସମ୍ବଲପୁର, ଝାରସୁଗୁଡ଼ା, ବ୍ରହ୍ମପୁର ପରେ କେନ୍ଦୁଝରରେ କୁଖ୍ୟାତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସଦର ପୋଲିସ ମଙ୍ଗଳବାର ଭୋର ସକାଳୁ ଏକ ଚଢ଼ାଉ ଅଭିଯାନ ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର କରିଛି। ଏଥିରେ ସେ ଆହତ ହୋଇଛି ଏବଂ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସକୁ ଦେଖି ପ୍ରଭାତ ଛାନିଆ ହୋଇଯାଇଥିଲା। ପୋଲିସ ଉପରେ ଗୁଳିମାଡ଼ ମଧ୍ୟ କରିଥିଲା। ପୋଲିସର ଗୁଳି ପ୍ରଭାତ ଗୋଡ଼ରେ ବାଜିଲା ପରେ ସେଠାରେ ସେ ପଡ଼ି ଯାଇଥିଲା। ପରେ ତାଙ୍କୁ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଓ ଡକାୟତି ସମ୍ପର୍କିତ ନଗଦ ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ, ପ୍ରଭାତ ନାମରେ ୪୦ରୁ ଅଧିକ ଡକାୟତି, ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି। ଅଭିଯୁକ୍ତ ୮ ଲକ୍ଷ ୧୮ ହଜାର ଟଙ୍କାର ସଶସ୍ତ୍ର ଡକାୟତିରେ ସମ୍ପୃକ୍ତି ସ୍ୱୀକାର କରିଛି। ମହୁଲଡିହା ଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଟଙ୍କା ଏବଂ ଅନ୍ୟ ସାମଗ୍ରୀ ଉଦ୍ଧାର ହୋଇଛି।
ଅଧିକ ପଢ଼ନ୍ତୁ: ‘ବିଜୁ ଏକ୍ସପ୍ରେସ୍ୱେ’ରେ ବଡ଼ ଧରଣର ଦୁର୍ଘଟଣା, ଜଳିଗଲା ୨ଟି ଟ୍ରେଲର