ନୂଆଦିଲ୍ଲୀ, ମାର୍ଚ୍ଚ ୦୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀର ଦକ୍ଷିଣ-ପଶ୍ଚିମରେ ଥିବା ଏକ ହୋଟେଲ ଭିତରୁ ଯୁବତୀ ‘ସୋନିଆ’ଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଶିଭମ ଚୌହାନ । ଶିଭମ ଉତ୍ତରପ୍ରଦେଶର ଗାଜିଆବାଦ ନିବାସୀ ଅଟେ । ପଚରାଉଚରା ସମୟରେ ଜଣାପଡ଼ିଛି ଯେ, ବିଗତ ୪ ବର୍ଷ ହେବ ସେ ଯୁବତୀଙ୍କ ସଂପର୍କରେ ଆସିଥିଲା । କିନ୍ତୁ ଏହାର ମଧ୍ୟରେ ମୃତ ଯୁବତୀଙ୍କ ସହିତ ଉତ୍କର୍ଷ ନାଁରେ ଜଣେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା, ଯାହାକି ଶିଭମକୁ ଅସହ୍ୟ ହେଉଥିଲା ।
ସୂଚନା ଅନୁସାରେ ମହିପାଲପୁର ଅଞ୍ଚଳରେ ଥିବା ସଂପୃକ୍ତ ହୋଟେଲରୁ ଯୁବୀତଙ୍କ ଲହୁଲୁହାଣ ମୃତଦେହକୁ ପୋଲିସ ଗତମାସ ୨୭ ତାରିଖରେ ଉଦ୍ଧାର କରିଥିଲା । ଘଟଣା ଦିନ ଭିକେ ଦକ୍ଷିଣ ଥାନାକୁ ମହିପାଳପୁରସ୍ଥିତ ଲେକ ରେସିଡେନ୍ସି ହୋଟେଲରେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ସୂଚନା ମିଳିଥିଲା । ସୋନିଆଙ୍କୁ ହୋଟେଲ ରୁମ୍ ଭିତରେ ହତ୍ୟା କରାଯାଇଥିବା ପୋଲିସକୁ ସନ୍ଦେହ ହେଇଥିଲା ଏବଂ ସେହି ଦିଗରେ ଅନୁସନ୍ଧାନ ଜାରି ରଖିଥିଲା । ଅଭିଯୁକ୍ତର ନାଁ ଶିଭମ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଉଭୟ ସୋନିଆ ଓ ଶିଭମ ବନ୍ଧୁ ଥିଲେ । ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।
ହତ୍ୟା ସଂପର୍କିତ ସୂଚନା ମିଳିବା ପରେ ଡିସିପି (ଦକ୍ଷିଣ) ଘଟଣାସ୍ଥଳକୁ ପହଞ୍ଚିଥିଲେ । ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଶିଭମ ୪ ବର୍ଷ ହେବ ହେଟେଲରେ କୋଠରୀ ବୁକ କରି ରଖିଥିଲା । ପୋଲିସ ତଦନ୍ତ ସମୟରେ ମଦ ବୋତଲ ମଧ୍ୟ ପାଇଥିଲା ।