ନୂଆଦିଲ୍ଲୀ: ପ୍ରବଳ ଖରା ପୂରା ଭାରତକୁ କଲବଲ କରୁଛି। ଉତ୍ତର ଓ ପଶ୍ଚିମ ଭାରତରେ ସ୍ଥିତି ଆହୁରି ସଂଗୀନ। କେବଳ ଭାରତ ନୁହେଁ। ବରଂ ପ୍ରବଳ ଖରାରେ ଏସୀୟ ଦେଶଗୁଡ଼ିକର ଜନତା ଛଟପଟ ହେଉଛନ୍ତି। ଏଥିରୁ ପାକିସ୍ତାନ ମଧ୍ୟ ବାଦ୍ ପଡ଼ିନାହିଁ। ଭାରତ ଭଳି ପାକିସ୍ତାନରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ଐତିହାସିକ ମହେଞ୍ଜୋଦାରୋ ଓ ଦାଦୁରେ ତାପମାତ୍ରା ୫୦ଡିଗ୍ରୀ ରେକର୍ଡ କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପାକିସ୍ତାନ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ଦେଶରେ ଗ୍ରୀଷ୍ମଲହରି ଆହୁରି ୧ ସପ୍ତାହ ଯାଏଁ ଜାରି ରହିବ। ଗୁରୁବାର ଦିନ ସିନ୍ଧ ପ୍ରଦେଶର ଦାଦୁ ଓ ମହେଞ୍ଜୋଦାରୋରେ ସର୍ବାଧିକ ତାପମାତ୍ରା ୫୦ ଡିଗ୍ରୀ ରେକର୍ଡ କରାଯାଇଛି। ସିନ୍ଧର ଅନ୍ୟ ସହର ‘ନବାବ୍ ଶାହ’ ଓ ‘ମିଠି’ରେ ସର୍ବାଧିକ ୪୮ ଡିଗ୍ରୀ ପାରା ପହଞ୍ଚିଛି। ସୂଚନାଯୋଗ୍ୟ, ମହେଞ୍ଜୋଦାରୋ ଐତିହ୍ୟସ୍ଥଳୀ ଭାବେ ଜଣାଶୁଣା। ଭାରତୀୟ ସମାଜ ପାଇଁ ଏହି ସହର ମୁଖସାକ୍ଷୀ ଭାବେ ପରିଚିତ।
ଏତଦ୍ ବ୍ୟତୀତ ପାକିସ୍ତାନର ପଂଜାବରେ ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ ଯାଏଁ ପହଞ୍ଚିଛି। ବେଲୁଚିସ୍ତାନ, ସିବ୍ୱୀରେ ୪୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଇସ୍ମାଇଲ ସହରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଗତ ବୁଧବାର ଦିନ ମହେଞ୍ଜୋଦାରୋରେ ତାପମାତ୍ରା ୪୯ ଡିଗ୍ରୀ ରେକର୍ଡ କରାଯାଇଥିଲା।