ନୂଆଦିଲ୍ଲୀ: ଲଣ୍ଡନର ଟୈବିସ୍ଟାକ୍ ସ୍କୋୟାରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ଗାନ୍ଧୀଙ୍କ ପ୍ରତିମା ତଳେ ‘ଭାରତୀୟ ଆତଙ୍କବାଦୀ’ ମଧ୍ୟ ଲେଖାଯାଇଛି । ଏହାକୁ ଭାରତୀୟ ଉଚ୍ଚ ଆୟୋଗ ଗୁରୁତର ସହ ନେଇ କଡ଼ା ନିନ୍ଦା କରିଛି ।
ଆସନ୍ତା ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ । ଟୈବିସ୍ଟାକ୍ ସ୍କୋୟାରରେ ଗାନ୍ଧୀଜୀଙ୍କର ଏକ ଧ୍ୟାନ ମଗ୍ନ ପ୍ରତିମା ସ୍ଥାପିତ କରାଯାଇଥିଲା । କିନ୍ତୁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି ଏବଂ ଭାରତୀୟଙ୍କ ବିରୁଦ୍ଧରେ ଅପଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି । “ଗାନ୍ଧୀ, ମୋଦୀ ଏବଂ ହିନ୍ଦୁସ୍ଥାନୀ ଆତଙ୍କବାଦୀ” ବୋଲି ମୂର୍ତ୍ତିର ପିଣ୍ଡିରେ ଲେଖାଯାଇଛି । ଭାରତୀୟ ଉଚ୍ଚ ଆୟୋଗ ପକ୍ଷରୁ ପ୍ରତିମାକୁ ଠିକ୍ କରିବାକୁ ଚେଷ୍ଟା କରାଯାଉଛି । ଭାରତୀୟ ଉଚ୍ଚ ଆୟୋଗ ଦୁଃଖ ପ୍ରକାଶ କରି କହିଛି ଯେ ଏହା କେବଳ ଏକ ଭଙ୍ଗା ରୁଜା ଘଟଣା ନୁହେଁ ଅହିଂସା ଦିବସର ତିନି ଦିନ ପୂର୍ବରୁ ଅହିଂସାର ବିଚାର ରଖୁଥିବା ଏବଂ ମହାତ୍ମା ଗାନ୍ଧୀଙ୍କ ଉପରେ ହିଂସାପୂର୍ଣ୍ଣ ଆକ୍ରମଣ । ଯାହାକୁ ଆୟୋଗ ଗମ୍ଭୀରତାର ସହିତ ନେଇଛି । ମୂର୍ତ୍ତିକୁ ଠିକ୍ କରିବାକୁ ଚେଷ୍ଟା କରାଯାଉଛି । ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ଜାତି ସଂଘ ଗାନ୍ଧୀ ଜୟନ୍ତୀକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ନାମିତ କରିଛି । 1968 ମସିହାରେ ଇଣ୍ଡିଆ ଲିଗର ସହଯୋଗରେ ଗାନ୍ଧୀଙ୍କ କାଂସ୍ୟ ପ୍ରତିମା ସ୍ଥାପନ କରାଯାଇଥିଲା । ଗାନ୍ଧୀଜୀ ନିକଟସ୍ଥ ଏକ କଲେଜର ଆଇନ ଛାତ୍ର ଥିଲେ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଲଣ୍ଡନରେ ସ୍ଥାପିତ ଏହି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥାଏ ।