ନୂଆଦିଲ୍ଲୀ: ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ କ୍ୱେଟା ସହର ଥରି ଉଠିଛି । ସେନା ମୁଖ୍ୟାଳୟ ନିକଟରେ ମଙ୍ଗଳବାର ହୋଇଥିବା ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଆହତ ହୋଇଛନ୍ତି ।
ପାକିସ୍ତାନ ସ୍ଥାନୀୟ ଗଣମାଧ୍ୟମ ଡୋନ୍ ଅନୁସାରେ, ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । କ୍ୱେଟାର ଜରଘୁନ୍ ରୋଡ୍ ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଘରର ଝରକା କାଚ ମଧ୍ୟ ଭାଙ୍ଗିଯାଇଥିଲା । ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଗୁଳି ବିନିମୟ ମଧ୍ୟ ହୋଇଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ନିକଟରେ ଥିବା ସିସିଟିଭି ଫୁଟେଜ୍ ବିସ୍ଫୋରଣ ସମୟର ଦୃଶ୍ୟ କଏଦ ହୋଇଛି ।
ବଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବଖତ୍ ମହମ୍ମଦ କାକର୍ ଏବଂ ସ୍ୱାସ୍ଥ୍ୟ ସଚିବ ମୁଜୀବ-ଉର୍-ରେହମାନ କ୍ୱେଟାର ସିବିଲ୍ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ ଏବଂ ଟ୍ରମା ସେଣ୍ଟର ଗୁଡ଼ିକରେ ଜରୁରୀକାଳୀନ ଘୋଷଣା କରାଯାଇଛି । ମୃତକଙ୍କ ମରଶରୀରକୁ ସିଭିଲ ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ପୂର୍ବରୁ, ସେପ୍ଟେମ୍ବର ୨ ତାରିଖରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖତର ମେଙ୍ଗାଲଙ୍କ କାଫଲା ଉପରେ ଆକ୍ରମଣ ହୋଇଥିଲା। ତାଙ୍କ କାର ଶାହୱାନୀ ଷ୍ଟାଡିୟମ ପାର୍କିଂ ସ୍ଥାନରେ ରଖାଯାଇଥିଲା ବେଳେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ମୁଖ୍ୟମନ୍ତ୍ରୀ ମେଙ୍ଗାଲ ଅକ୍ଷତ ଥିଲେ, କିନ୍ତୁ ତାଙ୍କ ଦଳର ଅନେକ ସଦସ୍ୟ ଗୁରୁତର ଆହତ ହୋଇଥିଲେ।