ଖବର ଓଡ଼ିଶା: ଦୁନିଆରେ ଅନେକ ଛୋଟ ବଡ଼ ଚୋରି, ଡକାୟତି ଏବଂ ଫର୍ଜି କାରବାର ହେଉଛି । କିନ୍ତୁ ଛୋଟ ଚୋରିରେ ବଡ଼ ଧରଣର ଲୁଟ କରିବା ବୋଧେ କମ ଦେଖିବାକୁ ମିଳୁଛି । ଜିନିଷ ଦେଇ ପଇସା ଫେରସ୍ତ ନାଁରେ ହଜାର କି ଦୁଇ ହଜାର ନୁହେଁ ସିଧାସଳଖ ୫ କୋଟି ଲୁଟ । ଏମିତି ଆଶ୍ଚର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି ଯୁକ୍ତ ରାଜ୍ୟରେ (ୟୁକେ) । ଏଭଳି ଏକ ନିଚ କାମ କରିଛନ୍ତି ଜଣେ ଭାରତୀୟ ମହିଳା । ସେ ୫୪ ବର୍ଷୀୟ ନରିନ୍ଦର କୌର ।
ନରିନ୍ଦର କୌର ପୁରା ୟୁକେରେ ବିଭିନ୍ନ ମଲରେ ବୁଲି ବୁଲି ଲୁଟିଛନ୍ତି ୫ କୋଟି ଟଙ୍କା । ସେ ପୁଣି ଯେଉଁ ଜିନିଷ କେବେ କିଣି ହିଁ ନାହାଁନ୍ତି । ନରିନ୍ଦର କୌର ୟୁକେ ବବସ୍, ଡେବର୍ନାମସ୍, ଜନ୍ ଲୁଇସ୍, ମନସୁନ୍, ହାଉସ୍ ଅଫ୍ ଫ୍ରେଜର୍ ଏବଂ ଟିକେ ମ୍ୟାକ୍ସରେ ପାଖାପାଖି ୧୦୦୦ ଥର ଏଭଳି ଉପାୟରେ ଟଙ୍କା ଲୁଟିଛନ୍ତି । ୨୦୧୫ ରୁ ୨୦୧୯ ମଧ୍ୟରେ ନରିନ୍ଦର ଏ ସବୁ ମଲ୍ ଭିତରୁ ଜିନିଷ ଚୋରି କରି ଆଣିଛନ୍ତି । ପରେ ସେ ସମସ୍ତ ଜିନିଷକୁ ବିଭିନ୍ନ ଆଳ ଦେଖାଇ ଫେରାଇବାକୁ ଯାଆନ୍ତି । ଏମିତି କରି ୫ କୋଟି ଟଙ୍କା ଲୁଟି ସାରିଛନ୍ତି ବୋଲି ଅଦାଲତରେ ଶୁଣାଣି ସମୟରେ ଅଭିଯୋଗ ପକ୍ଷ କହିଛନ୍ତି ।
ତାଙ୍କ ଘରେ ଦୁଇଟି ପୋଲିସ ଖୋଜାଖୋଜି ବେଳେ ପାଖାପାଖି ୧୫୦,୦୦୦ ପାଉଣ୍ଡ ନଗଦ ଟଙ୍କା ଏବଂ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି । ସିସିଟିଭିରେ ଦୋକାନରେ ପ୍ରବେଶ କରୁଥିବା ମଧ୍ୟ ପ୍ରମାଣ ମିଳିଛି । ଗୁପ୍ତରେ ଜିନିଷପତ୍ର ବାହାର କରି ସେଗୁଡିକୁ ପୂର୍ବରୁ କିଣାଯାଇଥିବା ଭଳି ନେଉଥିଲେ । ପଶ୍ଚିମ ମର୍କିଆ ପୋଲିସର ଡିଟେକ୍ଟିଭ୍ ଇନ୍ସପେକ୍ଟର ଷ୍ଟିଭ୍ ଟ୍ର୍ରିଷ୍ଟ୍ରମ କହିଛନ୍ତି, \'ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ୪୦ ବର୍ଷ ଧରି ଏହା କରିଆସୁଛନ୍ତି । ଗ୍ଲୁସେଷ୍ଟର କ୍ରାଉନ୍ କୋର୍ଟରେ ଚାରି ମାସର ଶୁଣାଣି ବେଳେ ନରିନ୍ଦର ଜାମିନ ସର୍ତ୍ତକୁ କୋହଳ କରିବାକୁ ମିଥ୍ୟା ଦଲିଲ ମଧ୍ୟ ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଛି ।