ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶାନ୍ତି ବାର୍ତ୍ତା ପାଇଁ ଆମେରିକା ପହଞ୍ଚିଛନ୍ତି । ଅନ୍ୟପଟେ ରୁଷ ୟୁକ୍ରେନ ଉପରେ ହମଲା ବନ୍ଦ କରି ନାହିଁ । ସୋମବାର ମଧ୍ୟ ରୁଷ ଖାରକିଭର ଏକ ପାଞ୍ଚ ମହଲା କୋଠା ଉପରେ ଡ୍ରୋନ ଆଟାକ୍ କରିଛି । ଏହି ହମଲାରେ ଅତି କମରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଏକାଧିକ ଆହତ ହୋଇଛନ୍ତି । ଡ୍ରୋନ ଆଟାକ ଉପରେ କୋଠାର ଗୋଟିଏ ଅଂଶ ଭୁଶୁଡି ପଡିବା ସହ ନିଆଁ ଲାଗି ଯାଇଛି ।
ଗଭର୍ଣ୍ଣର କହିଛନ୍ତି, ରୁଷ ଖାରକିଭର ଏକ ଅଟ୍ଟାଳିକା ଉପରେ ଡ୍ରୋନ ହମଲା କରିଛି । ୟୁକ୍ରେନର ଷ୍ଟେଟ ଏମରଜେନ୍ସି ଭିଡିଓ ଜାରି କରିଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଗୋଟିଏ ମହଲାରେ ନିଆଁ ଲାଗିଥିବା ଜଣା ଯାଇଛି । ମୃତକ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଦେଢ ବର୍ଷର ଶିଶୁ ମଧ୍ୟ ସାମିଲ ।
ଋିପୋର୍ଟ ମୁତାବକ, ଏହି ହମଲାରେ ଅନ୍ୟୁନ ୧୮ ଜଣ ଆହତ ହୋଇଛନ୍ତି । ଏଥିରେ ଅନେକ ପିଲା ମଧ୍ୟ ସାମିଲ । ରୁଷ ସୀମା ନିକଟରେ ମଧ୍ୟ ଏକ ସହରରେ ବାଲିଷ୍ଟିକ ମିସାଇଲରେ ହମଲା ହୋଇଥିଲା । ଏଥିରେ ୧୧ ଜଣ ଆହତ ହୋଇଥିଲେ । ଅନ୍ୟପଟେ ଆମେରିକା ପହଞ୍ଚିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହି ସାରିଛନ୍ତି ଯେ, ୟୁକ୍ରେନକୁ କ୍ରିମିୟା ଛାଡିବାକୁ ପଡିବ । ଏହା ବ୍ୟତୀତ ୟୁକ୍ରେନ ନାଟୋର ସଦସ୍ୟ ହୋଇ ପାରିବ ନାହିଁ । ଏହି ପ୍ରକାରର ବୟାନବାଜି ମଧ୍ୟରେ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ।
ଓଭାଲ ଅଫିସରେ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ବୈଠକ ସମୟରେ ତିକ୍ତତାକୁ ଦୃଷ୍ଟିରେ ରଖି ଏଥର ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୟୁରୋପର ନେତା ମଧ୍ୟ ଆମେରିକା ପହଞ୍ଚିଛନ୍ତି । ଏହା ପୂର୍ବରୁ ଶନିବାର ଆଲାସ୍କାରେ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକ ପରେ ଦୁଇ ନେତା କୌଣସି ଠୋସ୍ ପରିଣାମ ଉପରେ କିଛି କହି ନ ଥିଲେ ।