ନୂଆଦିଲ୍ଲୀ: ତିନି ବର୍ଷରୁ ଅଧିକ ସମୟ ଧରି ଜାରି ରକ୍ତାକ୍ତ ସଂଘର୍ଷ, ଅର୍ଥବ୍ୟବସ୍ଥା ଧ୍ୱଂସ ଏବଂ ଅନେକ ଅଞ୍ଚଳ ରୁଷର କବଜାକୁ ଯିବାକୁ ପ୍ରସ୍ତୁତ । ୨୦୨୨ ଫେବୃଆରୀରୁ ଏ ପର୍ଯ୍ୟନ୍ତ ରୁଷ ସହ ଜାରି ଲଢେଇରେ କେବଳ ଏହି ପରିଣାମ ହିଁ ବାହାରିଛି । ଦିନ ଥିଲା ଯେଉଁ ଆମେରିକା ପକ୍ଷରୁ ୟୁକ୍ରେନକୁ ନାଟୋର ସଦସ୍ୟ ହେବାକୁ ଭରସା ମିଳିଥିଲା ଏବଂ ଆଜି ସେହି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ୟୁକ୍ରେନ କ୍ରିମିୟାକୁ ଭୁଲି ଯାଉ । କେବଳ ଏତିକି ନୁହେଁ ଡୋନେଟସ୍କ ଏବଂ ଲୁହାନସ୍କ ପରି ବଡ ସହରକୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ରୁଷକୁ ଦେବା ପକ୍ଷରେ ଅଛନ୍ତି । ଏହାକୁ ନେଇ ଖୋଲାଖୋଲି କହିବା ଆରମ୍ଭ କଲାଣି ଆମେରିକା । ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏଥିପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ।
କୁହାଯାଉଛି, ସୋମବାର ଜେଲେନସ୍କିଙ୍କ ସହ ହେବାକୁ ଥିବା ମିଟିଂରେ ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସ୍ତାବ ଉପରେ ଆଲୋଚନା କରି ପାରନ୍ତି । ଏହି ପରି ୟୁକ୍ରେନକୁ ଏବେ ନିଜର ଅଞ୍ଚଳ ହରାଇବାର ଆଶଙ୍କା ରହିଛି । ଯେଉଁ ଆମେରିକା ଏବଂ ନାଟୋ ଦେଶର ଉସୁକାଇବା କାରଣରୁ ରୁଷ ସହ ଏତେ ଲମ୍ବା ଲଢେଇ ଲଢୁଥିଲେ ଜେଲେନସ୍କି ଏବେ ଅକଳରେ ପଡିଛନ୍ତି । କେବଳ ଏତିକି ନୁହେଁ ସିଏନଏନ, ନ୍ୟୁୟର୍କ ଟାଇମ୍ସ ପରି ଖବରକାଗଜ ଆଲାସ୍କାରେ ହୋଇଥିବା ବୈଠକକୁ କୂଟନୈତିକ ଦୃଷ୍ଟିରୁ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ବୋଲି ଦର୍ଶାଇଛନ୍ତି । ଆମେରିକା ମିଡିଆର କହିବା କଥା ଏହି ମିଟିଂରେ ପୁଟିନ ଏବଂ ରୁଷକୁ ମୁଖ୍ୟଧାରାକୁ ଆସିବାର ସୁଯୋଗ ମିଳିଲା । ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କ ସର୍ତ୍ତରେ ହିଁ ବୈଠକ କରିଛନ୍ତି ।
କେବଳ ଏତିକି ନୁହେଁ ଡୋନାଲ୍ଡ ଟ୍ରମ୍ପ ଚାହାନ୍ତି ୟୁକ୍ରେନ ସେହି ସର୍ତ୍ତ ମାନି ଅସ୍ତ୍ରବିରତି ପାଇଁ ରାଜି ହେଉ ଯେଉଁ ସର୍ତ୍ତ ପୁଟିନ ରଖିଛନ୍ତି । ଖୋଦ୍ ଜେଲେନସ୍କି ମାନିଛନ୍ତି ଯେ, ଟ୍ରମ୍ପଙ୍କ ସହ ପୁଟିନଙ୍କ ମିିଂ ରୁଷ ସହ ବିଜୟର ସନ୍ଦେଶ । ସଂପ୍ରତି ଜେଲେନସ୍କି ଟ୍ରମ୍ପଙ୍କ ସହ ବୈଠକରେ ୟୁରୋପୀୟ ନେତାଙ୍କୁ ମଧ୍ୟ ସାଥିରେ ନେବାକୁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଏହି ମିଟିଂରେ ମଧ୍ୟ ବହୁତ ହଙ୍ଗାମା ହୋଇପାରେ ।