ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପୁରୁଣା କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି, ତାଙ୍କ ଯୋଗୁଁ ହିଁ ଦୁନିଆରେ ଅନେକ ଯୁଦ୍ଧ ବନ୍ଦ ହୋଇଛି, ଏଥିରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ବି ସାମିଲ । ହେଲେ ଭାରତ ଟ୍ରମ୍ପଙ୍କ ଏମିତି ଦାବିକୁ ବାରମ୍ବାର ଖଣ୍ଡନ କରି ଆସିଛି । ଭାରତ କହି ଆସିଛି ଯେ, ଦୁଇ ଦେଶ ମଧ୍ୟରେ ହିଁ ଅସ୍ତ୍ରବିରତି ପାଇଁ ରାଜିନାମା ହୋଇଛି । ଏଥିରେ କୌଣସି ତୃତୀୟ ପକ୍ଷଙ୍କ ଭୁମିକା ନାହିଁ । ଟ୍ରମ୍ପଙ୍କ କହିବା କଥା ତାଙ୍କର ଉଦ୍ଦେଶ୍ୟ ଜୀବନ ବଞ୍ଚାଇବା ଏବଂ ବଡ ଯୁଦ୍ଧ ରୋକିବା ।
ସେ କହିଛନ୍ତି, ଭାରତ ଓ ପାକିସ୍ତାନ ପରସ୍ପର ଉପରେ ବୋମା ବର୍ଷଣ କରୁଥିଲେ । ବିମାନ ଖସାଉଥିଲେ । ପରିସ୍ଥିତି ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ହେଲେ ମୁଁ ଏହି ଯୁଦ୍ଧକୁ ବନ୍ଦ କରି ଦେଲି । ଜୀବନ ବଞ୍ଚାଇବା ଆମର ପ୍ରଥମ ପ୍ରାଥମିକତା, ତା ପରେ ଯାଇ ଅନ୍ୟ କିଛି । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ହସ୍ତକ୍ଷେପ କାରଣରୁ ହିଁ ଛଅ ବଡ ଯୁଦ୍ଧ ହେବାରୁ ଟଳି ଯାଇଛି । ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସଦ୍ୟତମ ସଂଘର୍ଷକୁ ବି ନିଜର କୂଟନୈତିକ ସଫଳତା ଦର୍ଶାଇଛନ୍ତି ।
ଅନ୍ୟପଟେ ଟ୍ରମ୍ପଙ୍କ ଦାବିକୁ ବାରମ୍ବାର ଭାରତ ଖଣ୍ଡନ କରିବା ସହ କହି ଆସିଛି ଯେ, ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିରେ ଆମେରିକାର କୌଣସି ପ୍ରଭାବ ନାହିଁ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସଂସଦରେ କହିଥିଲେ ଯେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏହି ପ୍ରସଙ୍ଗରେ ଆମେରିକା ସହ କୌଣସି ସ୍ତରରେ ଆଲୋଚନା ହୋଇ ନାହିଁ । ନା କୌଣସି କାରବାର ଏବଂ ନା କୌଣସି ଅନ୍ୟ ବିଷୟକୁ ଅସ୍ତ୍ରବିରତି ସହ ଯୋଡା ଯାଇଛି । ଜୟଶଙ୍କର କହିଥିଲେ ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀରେ ହୋଇଥିବା ଡିଜିଏମଓସ୍ତରୀୟ ସିଧାସଳଖ ଆଲୋଚନାର ପରିଣାମ ହିଁ ଅସ୍ତ୍ରବିରତି ଥିଲା ।