ଖବର ଓଡିଶା : 10/03/2023
ସି ଜିନପିଙ୍ଗ ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଆଜିଠୁ ନିଜ ଶାସନର ତୃତୀୟ ପାଳି ଆରମ୍ଭ କରିଛନ୍ତି ସି ଜିନପିଙ୍ଗ । ଆଜି ଚୀନ୍ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍ପିଙ୍ଗ୍ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍ ମିଲିଟାରି କମିସନ୍’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି। ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍ କିଶାନ୍ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ଯନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍ ଝେଙ୍ଗ୍ଙ୍କୁ ସି ଜିନ୍ପିଙ୍ଗ୍ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍ ଦେଇଛନ୍ତି। ଏଥର ଚୀନ୍ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍ ଦେଇ ନାହାନ୍ତି। ଫଳାଫଳ ଘୋଷଣା କରାଯିବା ପରେ, ପ୍ରାୟ ଏକ ମିନିଟ୍ ପାଖାପାଖି କରତାଳି ଶୁଭିଥିବା ବେଳେ ସି’ ସମବେତ ପ୍ରତିନିଧିଙ୍କ ସମ୍ମୁଖରେ ମଥାନତ କରିଥିଲେ। ଗତ ଅକ୍ଟୋବରରେ ଶୂନ-କୋଭିଡ ନୀତି ଲାଗୁ କରିବା ଓ ପରେ ତାହାକୁ ପ୍ରତ୍ୟାହାର କରିବା ନେଇ ୬୯ ବର୍ଷୀୟ ଜିଙ୍ଗପିନ୍ଙ୍କୁ ଖୁବ୍ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଚଳିତ ସପ୍ତାହରେ ନ୍ୟାସନାଲ ପିପୁଲ କଂଗ୍ରେସ ମିଟିଂରେ ଏହି ପ୍ରସଙ୍ଗଗୁଡ଼ିକୁ ଏଡ଼ାଇ ଦିଆଯାଇଥିଲା। ଉକ୍ତ ମିଟିଙ୍ଗରେ ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।