ନୂଆଦିଲ୍ଲୀ: ଆମେରିକା ସେନା ଭେନେଜୁଏଲାର ରାଷ୍ଟ୍ରପତିଙ୍କ ଘରେ ପଶି ଉଠାଇ ନେଇଛି । ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଥିଲେ । ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ଆମେରିକା ଭେନେଜୁଏଲା ଉପରେ ହମଲା କରିଥିଲା । ଆମେରିକା ୨୦୨୦ରୁ ମାଦୁରୋଙ୍କ ପଛରେ ପଡିଥିଲା । ଏପରିକି ତାଙ୍କ ଉପରେ ୧୫ ମିଲିୟନ ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ତେବେ କିଏ ଏହି ନିକୋଲାସ ମାଦୁରୋ ? ମାଦୁରୋଙ୍କ ପଛରେ କାହିଁକି ପଡିଥିଲା ଆମେରିକା ?
୨୦୧୩ରେ ରାଷ୍ଟ୍ରପତି ହୋଇଥିଲେ ମାଦୁରୋ
ନିକୋଲାସ ମାଦୁରୋ ମୋରୋସଙ୍କ ଜନ୍ମ ୧୯୬୨ ମସିହାରେ ହୋଇଥିଲା । ସେ ଭେନେଜୁଏଲାର ରାଜନୀତିଜ୍ଞ ଏବଂ ୟୁନାଇଟେଡ ସୋସିଆଲିଷ୍ଟ ପାର୍ଟିର ନେତା । ସେ ୨୦୧୩ରେ ଭେନେଜୁଏଲାର ୫୩ତମ ରାଷ୍ଟ୍ରପତି ଭାବେ ପଦଭାର ଗ୍ରହଣ କରିଥିଲେ । ମାଦୁରୋଙ୍କ ରାଜନୀତିରେ ଅଭ୍ୟୁଦୟ ବାମ ଆନ୍ଦୋଳନ ଜରିଆରେ ହ୍ୟୁଗୋ ଶାଭେଜଙ୍କ ଘନିଷ୍ଠ ରୂପେ ହୋଇଥିଲା । ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ ଥିଲେ ମାଦୁରୋ । ୨୦୧୨ରେ ସେ ଉପରାଷ୍ଟ୍ରପତି ହୋଇଥିଲେ ।
୨୦୧୩ରେ ଶାଭେଜଙ୍କ ନିଧନ ପରେ ତାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା । ୨୦୧୩ରେ ସେ ନିର୍ବାଚନ ଜିତି ରାଷ୍ଟ୍ରପତି ହୋଇଥିଲେ । କିନ୍ତୁ ତାଙ୍କ ଶାସନରେ କଟକଣା, ଆର୍ଥିକ ସଙ୍କଟ, ଜନ ଆନ୍ଦୋଳନ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ଘରିଆ ପରି ସ୍ଥିତିର ସମ୍ମୁଖୀନ ହୋଇଥିଲା ଭେନେଜୁଏଲା ।
ଆମେରିକା ଲଗାତାର ମାଦୁରୋଙ୍କ ରାଷ୍ଟ୍ରପତି ଶାସନକୁ ଚ୍ୟାଲେଞ୍ଜ କରି ଆସିଥିଲା । ମାଦୁରୋଙ୍କ ଉପରେ ମାନବାଧିକାରର ଉଲ୍ଲଂଗନ, ନିର୍ବାଚନରେ ହେରଫେର ଓ ନାର୍କୋ ଟେରରିଜିମ ପ୍ରସାର କରିବାର ଅଭିଯୋଗ ହୋଇ ଆସିଛି । ୨୦୨୦ରେ ଆମେରିକା ତାଙ୍କ ଉପରେ ୧୫ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା । ଏହା ପରେ ୨୦୨୫ ଜାନୁଆରୀରେ ପୁରସ୍କାର ରାଶିକୁ ବଢା ଯାଇ ୨୫ ମିଲିିୟନ ଡଲାର କରାଯାଇଥିଲା । ଏହା ବ୍ୟତୀତ ଭେନେଜୁଏଲାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରେ ମଧ୍ୟ କଟକଣା ଲଗାଇଥିଲା ଆମେରିକା ।
Also read: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଦଳକୁ ଫେରିଲେ ଶ୍ରେୟସ ଆୟର