ନୂଆଦିଲ୍ଲୀ: ଆମେରିକା ସେନା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଛି । ଉଭୟଙ୍କୁ ଦେଶରୁ ବାହାରକୁ ନେଇ ଯାଇଛି ଆମେରିକା । ଶନିବାର ସକାଳେ ଭେନେଜୁଏଲା ଉପରେ ଆମେରିକା ହମଲା କରିଥିଲା । କିନ୍ତୁ ଏହା ସ୍ପଷ୍ଟ ହୋଇ ପାରି ନ ଥିଲା ଯେ, ପ୍ରକୃତରେ ଏହି ହମଲା ଆମେରିକା କରିଥିଲା କି ନାହିଁ । ଏହି ହମଲାରେ ଭେନେଜୁଏଲାର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରାଯାଇଥିଲା । ଏହାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ବନ୍ଧକ କରି ରଖିଥିବା ସୂଚନା ଦେଇଥିଲେ ।
ଅନ୍ୟପଟେ ଭେନେଜୁଏଲା ନିଜ ଦେଶର ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀ ଜୀବିତ ଅଛନ୍ତି କି ନାହିଁ ତାର ପ୍ରମାଣ ଆମେରିକାଠୁ ମାଗିଛି। ଏପିର ରିପୋର୍ଟ ଅନୁଯାୟୀ, ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗଜ କହିଛନ୍ତି, ମାଦୁରୋ ଓ ତାଙ୍କ ପତ୍ନୀଙ୍କ କୌଣସି ସନ୍ଧାନ ମିଳୁନାହିଁ । ଆମେ ତାଙ୍କର ଜୀବିତ ନେଇ ପ୍ରମାଣ ମାଗୁଛୁ ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥରେ ଲେଖିଛନ୍ତି, ଆମେରିକା ଦ୍ୱାରା ଭେନେଜୁଏଲା ଉପରେ ବଡ ହମଲା କରାଯିବା ପରେ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଧରା ପଡିଛନ୍ତି । ଏହା ସହିତ ମାଦୁରୋଙ୍କ ପତ୍ନୀଙ୍କୁ ମଧ୍ୟ ଆମେରିକା ସେନା ଧରିଛନ୍ତି । ଭେନେଜୁଏଲା ଉପରେ ହମଲା ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା ।
ଆମେରିକା ଡ୍ରଗ୍ସ ଚାଲାଣ ଅଭିଯୋଗରେ ଭେନେଜୁଏଲା ଉପରେ ଆକ୍ରମଣ କରିଛି। ଦୁଇ ଦେଶ ମଧ୍ୟରେ କିଛି ଦିନ ଧରି ଉତ୍ତେଜନା ବୃଦ୍ଧି ପାଉଛି। ଆମେରିକା ପୂର୍ବରୁ ଭେନେଜୁଏଲା ଜାହାଜକୁ ଟାର୍ଗେଟ କରିଛି ଏବଂ ଡ୍ରଗ୍ସ ପରିବହନ କରୁଥିବା ଡଙ୍ଗା ଉପରେ ମଧ୍ୟ ଆକ୍ରମଣ କରିଛି। ଏହା ପରେ, ଶନିବାର ଆମେରିକା ପ୍ରଥମେ ଭେନେଜୁଏଲା ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରିଥିଲା। ପୁଣି ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଧକ କରାଯାଇଥିଲା।
Also read: ନିର୍ବାଚନ ପୂର୍ବରୁ ଟିଏମସିକୁ ବଡ ଝଟକା, କଂଗ୍ରେସରେ ମିଶିଲେ ସାଂସଦ ମୌସମ ନୂର