ଚଣ୍ଡିଗଡ: ହରିୟାଣା ସରକାର ସିରସା ସ୍ଥିତ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମୀର ରାମ ରହିମ ସିଂଙ୍କ ଉପରେ ୧୫ମ ଥର ଦୟା ଦେଖାଇଛନ୍ତି । ରାମ ରହିମ ପୁଣି ଥରେ ପାରୋଲରେ ଜେଲରୁ ବାହାରୁଛନ୍ତି । ସପ୍ତାହେ କି ୧୦ ଦିନ ପାଇଁ ନୁହେଁ ଏକା ଥରକେ ୪୦ ଦିନ ପାଇଁ ତାଙ୍କ ପାରୋଲ ଅବଧିକୁ ହରିୟାଣା ସରକାର ମଞ୍ଜୁର କରିଛନ୍ତି । ଉଲ୍ଲେଖନୀୟ ନିଜର ଦୁଇ ଜଣ ଶିକ୍ଷ୍ୟାଙ୍କ ସହ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି ରାମ ରହିମ । ଅଦାଲତ ତାଙ୍କୁ ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୧୦-୧୦ ବର୍ଷର ସଜା ଶୁଣାଇଥିଲେ ।
ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ରାମ ରହିମ ୪୦ ଦିନିଆ ପାରୋଲରେ ବାହାରକୁ ଆସିଥିଲେ । ଏହି ସମୟରେ ସେ ଡେରା ମୁଖ୍ୟାଳୟରେ ସତସଙ୍ଗ ଓ ପ୍ରବଚନ ଦେଇଥିଲେ । ଗୁରମୀତ ରାମ ରହିମଙ୍କୁ ୨୦୧୭ରେ ଦୁଇ ସାଧ୍ୱୀଙ୍କୁ ବଳାତ୍କାର କରିବା ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ଏହା ପରେ ୨୦୧୯ରେ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ଏହା ବ୍ୟତୀତ ୨୦୦୨ରେ ନିଜର ହିଁ ମ୍ୟାନେଜର ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ମଧ୍ୟ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ଏହା ପୂର୍ବରୁ ଗତ ବର୍ଷ ଜାନୁଆରୀରେ ରାମ ରହିମଙ୍କୁ ୨୦ ଦିନିଆ ପାରୋଲ ମିଳିଥିଲା । ପୁଣି ସେହି ବର୍ଷ ଏପ୍ରିଲରେ ୨୧ ଦିନର ପାରୋଲ ଦେଇଥିଲେ ହରିୟାଣା ସରକାର । ଅଗଷ୍ଟରେ ୪୦ ଦିନର ପାରୋଲରେ ପୁଣି ଥରେ ଜେଲରୁ ବାହାରିଥିଲେ ରାମ ରହିମ । ଉକ୍ତ ଆତ୍ମଘୋଷିତ ବାବାଙ୍କ ବାରମ୍ବାର ପାରୋଲକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗତ ବର୍ଷ ରାମ ରହିମଙ୍କୁ ନିର୍ବାଚନ ସମୟ ପାଖାପାଖି ପାରୋଲରେ ଜେଲରୁ ବାହାରିବାର ଅନୁମତି ମଧ୍ୟ ମିଳିଥିଲା ।
Also read: ଭେନେଜୁଏଲା ସଙ୍କଟ ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା, ଚିନ୍ତା ପ୍ରକାଶ ସହ ଶାନ୍ତିର ଅପିଲ୍